ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ଲୋୟର ସୁକତେଲ ନଦୀ ଉପରେ ନିର୍ମିତ ହୋଇଥିବା ଏକ ପୋଲ ଦବି ଯାଇଛି। ମାତ୍ର ୪ ବର୍ଷ ତଳେ ଏହି ପୋଲ ନିର୍ମିତ ହୋଇଥିଲା। ପୋଲ ଦବି ଯିବା ଫଳରେ ଏହି ରାସ୍ତା ଦେଇ ଯିବାକୁ ଲୋକେ ଅସୁରକ୍ଷିତ ମଣୁଛନ୍ତି। ତମିଆ ସହିତ ପ୍ରାୟ ୬ଟି ଗାଁର ହଜାର ହଜାର ଲୋକେ ଦୈନନ୍ଦିର ଏହି ପୋଲ ଦେଇ ଯାତାୟାତ କରିଥାନ୍ତି। ତେବେ ଏହି ପୋଲ ଉପରେ ଯାତାୟତ ବନ୍ଦ ହୋଇଯାଇଥିବାରୁ ଲୋକେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିମ୍ନମାନର କାମ ଯୋଗୁଁ ଏଭଳି ପରିସ୍ଥିତି ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୋଲ ଦବିଯିବା ସହିତ ବିଭିନ୍ନ ସ୍ଥାନରେ ସିମେଣ୍ଟ ଛାଡି ଯାଇଛି ଓ ଲୁହା ରଡ୍ ସବୁ ବାହାରକୁ ବାହାରି ପଡିଛି। ରଡମାନଙ୍କରେ କଳଙ୍କି ମଧ୍ୟ ଲାଗିଯାଇଛି। କିଛିଦିନ ତଳେ କେତେକ ବିଭାଗୀୟ ଅଧିକାରୀ ଏହାର ପରିଦର୍ଶନରେ ଆସିଥିଲେ। ସେହି ସମୟରେ ପୋଲ ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ମୁଖ୍ୟ ଅଧିକାରୀ ନିମ୍ନମାନର ପୋଲ ନିର୍ମାଣ କରିଥିବା ନେଇ ଗାଳି ଦେଇଥିଲେ ବୋଲି ମଧ୍ୟ ସ୍ଥାନୀୟ ଲୋକେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୩-୧୪ ମସିହାରେ ଏହି ପୋଲ ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା। ବଲାଙ୍ଗିରର ରାମବିଲାସ ଅଗ୍ରୱାଲ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ ଟେଣ୍ଡରରେ ଏହି କାମ ପାଇଥିଲା। ୭ କୋଟି ଟଙ୍କା ବ୍ୟୟରେ ଏହି ପୋଲ ନିର୍ମାଣ କରାଯାଇଛି। ୨୦୧୪ରେ କାମ ଆରମ୍ଭ ହୋଇଥିବା ବେଳେ ୨୦୧୬ ମସିହାରେ ଏହାର ନିର୍ମାଣ କାମ ସରିଥିଲା। ତତ୍କାଳୀନ ପାଟଣାଗଡ ବିଧାୟକ ଏହାର ଶିଳାନ୍ୟାସ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସରିଥିବା ଏବଂ ଉଚ୍ଚମାନର କାମ ହୋଇଥିବା ଦର୍ଶାଇ ସମ୍ପୃକ୍ତ ଠିକା ସଂସ୍ଥାକୁ ପୁରସ୍କୃତ କରାଯାଇଥିଲା। ତେବେ ୪ ବର୍ଷ ପରେ ଏହି ପୋଲ ଦବି ଯାଇଛି। ପ୍ରାୟ ୨ମାସ ତଳୁ ଏ ସମ୍ପର୍କରେ ଜଣାପଡିସାରିଛି।
ଫେବୃଆରୀ ମାସ ୨୯ ତାରିଖରେ ଅଫିସ ଅଫ୍ ଦି ଚିଫ୍ ଇଞ୍ଜିନିୟର, ନିର୍ମାଣ ଶାଖା, ଓଡିଶା ତରଫରୁ ଏକ ୩ ଜଣିଆ ପ୍ରତିନିଧି ମଣ୍ଡଳୀ ଗସ୍ତ କରି ପୋଲର ନିରିକ୍ଷଣ କରିଥିଲେ। ପରବର୍ତ୍ତି ସମୟରେ ଦିଲ୍ଲୀରୁ ମଧ୍ୟ ଏକ ଟିମ ଆସି ଏହାର ନିରିକ୍ଷଣ କରିଛନ୍ତି। ତେବେ ବିଭାଗୀୟ ଅଧିକାରୀ ଏହି ପୋଲର ମରାମତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ସମ୍ପୃକ୍ତ ଠିକା ସଂସ୍ଥା ମଧ୍ୟ ଆମକୁ ଅନୁରୋଧ କରିଛି ଯେ, ଦେଢ ମାସ ମଧ୍ୟରେ ଆମେ ଏହାର ମରାମତି କରିବୁ। କିନ୍ତୁ ଏହି ନିମ୍ନମାନର କାମ ପାଇଁ କାହାକୁ ଦାୟୀ କରାଯିବ ତାହା ବଡ଼ ପ୍ରଶ୍ନବାଚୀ। ସମ୍ପୃକ୍ତ ଠିକା କମ୍ପାନୀ ଜିଲ୍ଲାରେ କରିଥିବା ଅନ୍ୟାନ୍ୟ କାମର ମଧ୍ୟ ତଦନ୍ତ କରାଯାଉ ବୋଲି ଦାବି ହୋଇଛି।