ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାର ବହୁ ପ୍ରତୀକ୍ଷିତ କାର୍ଡିଆକ କେୟାର ହସ୍ପିଟାଲ ଆସନ୍ତା ୨୦୨୨ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏନେଇ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିର୍ମାଣାଧୀନ ଡାକ୍ତରଖାନା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବା ସହ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା। ‘ହାର୍ଟ କେୟାର ହସ୍ପିଟାଲ’ ଭଳି ଡ୍ରିମ ପ୍ରୋଜେକ୍ଟକୁ ପୂର୍ଣ୍ଣାଙ୍ଗ କରାଯାଇ ଲୋକଙ୍କ ସେବାରେ ଉତ୍ସର୍ଗ କରିବା ଲାଗି ତ୍ୱରିତ ପଦକ୍ଷେପ ନେବା ଲାଗି ସଂପୃକ୍ତ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଡିଆକ କେୟାର ହସ୍ପିଟାଲର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚରାଯିବା ସହ ଡାକ୍ତର ଏବଂ ଷ୍ଟାଫଙ୍କ ଲାଗି ଆବଶ୍ୟକ କ୍ୱାର୍ଟର ନିର୍ମାଣ, ନୂତନ ଜ୍ଞାନ କୌଶଳର ପ୍ରୟୋଗ, ଅତ୍ୟାଧୁନିକ ଚିକିତ୍ସା ସେବା ବ୍ୟବସ୍ଥା, ବିଭିନ୍ନ ପ୍ରକାର ପରୀକ୍ଷା ଲାଗି ଆବଶ୍ୟକ ଯନ୍ତ୍ରପାତି ଓ ସରଞ୍ଜାମର ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏଥିସହିତ ଏମସିଏଲର ସିଏସଆର୍ ପାଣ୍ଠି ସହାୟତାରେ ନିର୍ମିତ ବୃହତ ଷ୍ଟାଡିୟମ, ସ୍ୱିମିଂ ପୁଲ୍ ଓ ବସଷ୍ଟାଣ୍ଡ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯାଇ ତୁରନ୍ତ ଏହାର ସଂପୂର୍ଣ୍ଣକରଣ ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଶିଳ୍ପ ବିଭାଗର ଆନୁକୂଲ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ଶିଳ୍ପ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଓ ଏମସିଏଲ ଅଧିକାରୀଙ୍କ ସହ ଝାରସୁଗୁଡ଼ା ଜିଲ୍ଲାପାଳ ଭିସି ଯୋଗେ ଆଲୋଚନାରେ ଭାଗ ନେଇଥିଲେ।