ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ପଣ୍ଡାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଶିକ୍ଷକରେ ପାଠପଢ଼ା ଚାଲିଛି । ଏହି ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮୦ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ଶିକ୍ଷ ନଥିବାରୁ ବହୁ ଅସୁବିଧା ଦେଖାଦେଉଛି । ସେଥିପାଇଁ ଜଣେ ଶିକ୍ଷକରେ ପାଠପଢ଼ା କେମିତି ଚାଲିବ ସେନେଇ ଗ୍ରାମବାସୀମାନେ ପାଟଣାଗଡ଼ ବିଇଓ ଶଙ୍କର ମାଝୀଙ୍କୁ ଭେଟି ଦାବୀ କରିଥିଲେ । ଶ୍ରୀ ମାଝୀ ଆଗାମୀ ୭ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ହୋଇଯିବା ନେଇ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରତିଶ୍ରୁତି ପୂରଣ ନ ହେବାରୁ ଆଜି ଗ୍ରାମର ଶତାଧିକ ଅଭିଭାବକ ଓ ସ୍କୁଲର ଛାତ୍ରଛାତ୍ରୀମାନେ ତାଲା ପକାଇ ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲେ । ଖବର ପାଇ ସିଆରସିସି ଗୋବିନ୍ଦ ମେହେର ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଏହା ସଫଳ ହୋଇପାରି ନଥିଲା । ଆନ୍ଦୋଳନକାରୀମାନେ ସିଆରସିସିଙ୍କୁ ଫେରିଯାଅ ବୋଲି କହିଥିଲେ ଏବଂ ଆଉ କିଛି ଅଭିଭାବକ ସିଆରସିସିଙ୍କୁ ମୁଣ୍ଡିଆ ମାରି ନେହୁରା ହୋଇ ଆମକୁ ଶିକ୍ଷକ ଦିଆଯାଉ ବୋଲି ଦାବୀ କରିଥିଲେ । ଶେଷରେ ବାଧ୍ୟହୋଇ ସିଆରସିସି ଫେରି ଯାଇଛନ୍ତି ।