ଆବୁଧାବି,ଏଜେନ୍ସି: ଚଳିତ ଟି-୨୦ ବିଶ୍ୱକପ୍ର ସୁପର-୧୨ ରାଉଣ୍ଡ୍(ଗ୍ରୁପ୍-୧)ରେ ଆଜି ଅଷ୍ଟ୍ରେଲିଆ ଓ ବାଂଲାଦେଶ ପରସ୍ପରକୁ ଭେଟିବେ। ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। ୩ଟି ମ୍ୟାଚ୍ ଖେଳି ଅଷ୍ଟ୍ରେଲିଆ ୨ଟି ବିଜୟ ସହ ୪ ପଏଣ୍ଟ ହାସଲ କରିଛି। ଗୁରୁବାର ବାଂଲାଦେଶକୁ ବଢ ବ୍ୟବଧାନରେ ହରାଇ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନ ହାସଲ କରିବାକୁ ଦଳ ପ୍ରୟାସ କରିବ। ୬ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟ ପଟରେ ୪ଟି ମ୍ୟାଚ୍ ଖେଳି ପଏଣ୍ଟ ଖାତା ଖୋଲିପାରି ନଥିବା ବାଂଲାଦେଶ ବିପର୍ଯ୍ୟୟ ଘଟାଇବା ସହ ସମ୍ମାନର ସହ ସ୍ୱଦେଶ ଫେରିବାକୁ ପ୍ରୟାସ କରିବ।
ଇଂଲଣ୍ଡ ଠାରୁ ପରାଜିତ ହେବା ପରେ ଅଷ୍ଟ୍ରେଲିଆ ମନୋବଳ ହରାଇଛି। ତଥାପି ବାଂଲାଦେଶକୁ ହରାଇବା ପାଇଁ ସେମାନଙ୍କୁ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ବାଂଲା ଦଳର ଷ୍ଟାର୍ ଖେଳାଳି ସାକିବ ଅଲ୍-ହାସନ ଆହତ ହୋଇ ବାଦ ପଡ଼ିସାରିଛନ୍ତି। ତାଙ୍କ ଅନୁପସ୍ଥିତିରେ ଦଳ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାଂଲାଦେଶ ମାତ୍ର ୮୪ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା।
ତାରକା ଖଚିତ ଅଷ୍ଟ୍ରେଲିଆର ବୋଲିଂ ବିଭାଗ ପୂର୍ବଭଳି ଶକ୍ତିଶାଳୀ ରହିଛି। ବ୍ୟାଟ୍ସମ୍ୟାନମାନେ ଫର୍ମରେ ନଥିବାରୁ ପ୍ରଦର୍ଶନରେ ଅବନତି ଦେଖିବାକୁ ମିଳିଛି। ଆଜିର ମ୍ୟାଚ୍ରେ ଡେଭିଡ ୱାର୍ଣ୍ଣର ଓ ଆରୋନ ଫିଞ୍ଚଙ୍କୁ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାକୁ ପଡ଼ିବ। ଦୁଇ ଓପନର ସଫଳ ହେଲେ ଅଷ୍ଟ୍ରେଲିଆର ବିଜୟ ମହଜ ହେବ। ଗ୍ଲେନ ମ୍ୟାକ୍ସୱେଲଙ୍କ ଉପରେ ନଜର ରହିବ। ଗତ ଆଇପିଏଲ୍ର ସଫଳତାକୁ ସେ ଦୋହରାଇବାକୁ ଚେଷ୍ଟା କରିବେ।