ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ଯାତ୍ରୀବାହୀ ବସ, ୬ ମୃତ

ରାଜସ୍ଥାନ,ଏଜେନ୍ସି: ରାଜସ୍ଥାନର ଜାଲୋର ଜିଲ୍ଲାର ମହେଶପୁରା ଗାଁରେ ଶନିବାର ବିଳମ୍ବିତ ରାତି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସରେ ବିଦ୍ୟୁତ ତାର ଲାଗି ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ୬ ଜଣ ଯାତ୍ରୀ ଗୁରୁତର ଅଛନ୍ତି। ସେମାନଙ୍କୁ ଯୋଧପୁର ଏମଡିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାମାନ୍ୟ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସୂଚନା ମିଳିବା ପରେ ପୁଲିସ ପ୍ରଶାସନ ଘଟଣାସ୍ଥଳକୁ ପହଞ୍ଚିଥିଲା।

ମହେଶପୁର ଗାଁରେ ଶନିବାର ରାତି ବଡ଼ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ ରାସ୍ତା ଭୁଲିଯାଇ ଗାଁ ଭିତରକୁ ପଶିଯାଇଥିଲା। ସେଠାରେ ବିଦ୍ୟୁତ ତାର ଝୁଲୁଥିବାରୁ ଡ୍ରାଇଭର ବସକୁ ଅଟକାଇ ଦେଇଥିଲେ। ଏକ ଠେଙ୍ଗାରେ ବିଦ୍ୟୁତ ତାରକୁ ଉପରକୁ ଉଠାଯାଇ ବସ ଆଗକୁ ନେବା ପାଇଁ ଉଦ୍ୟମ କରୁଥିବା ବେଳେ ଏକ ବିଦ୍ୟୁତ ତାର ଖସି କଣ୍ଡକ୍ଟରଙ୍କ ଦେହରେ ଲାଗିଥିଲା। ପରେ କଣ୍ଡକ୍ଟର ଓ ବସରେ ବିଦ୍ୟୁତ କରେଣ୍ଟ ପ୍ରବାହିତ ହୋଇଥିଲା। ଫଳରେ ବସରେ ବସିଥିବା ଯାତ୍ରୀମାନଙ୍କୁ ମଧ୍ୟ କରେଣ୍ଟ ଲାଗିଥିଲା। ଏଥିସହିତ ବସରେ ନିଆଁ ଲାଗିଯାଇଥିଲା। ଏଥିରେ ବସ ଚାଳକ ଓ କଣ୍ଡକ୍ଟରଙ୍କ ମଧ୍ୟ ମୃତ୍ୟୁ ହୋଇଛି।