ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ଟପିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୪,୨୦୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୪୬୨ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୭୪୬ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧ ହଜାର ୯୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୨୫, କଟକରୁ ୪୬୫, ଯାଜପୁରରୁ ୨୩୭, ପୁରୀରୁ ୧୯୯, ଅନୁଗୁଳରୁ ୧୯୪, ଜଗତସିଂହପୁରରୁ ୧୮୧, ନୂଆପଡ଼ାରୁ ୧୭୫ ଓ ମୟୁରଭଞ୍ଜ ଜିଲ୍ଲାରୁ ୧୫୪ ଜଣ ରହିଛନ୍ତି।

ଅନ୍ୟପଟେ ଆଜି କରୋନା ଯୋଗୁ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪, ପୁରୀରୁ ୩, ମୟୁରଭଞ୍ଜରୁ ୨, ରାୟଗଡ଼ା, କେନ୍ଦ୍ରାପଡ଼ା, କନ୍ଧମାଳ, କଟକ, ବଲାଙ୍ଗିର ଓ ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୦ଲକ୍ଷ ୯ହଜାର ୧୮୩ କରୋନା ଟେଷ୍ଟ ହୋଇଥିବାବେଳେ ୨ଲକ୍ଷ ୧ ହଜାର ୯୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୧ଲକ୍ଷ ୬୧ ହଜାର ୪୪ ଜଣ ସୁସ୍ଥ ହୋଇଛନ୍ତି ଓ ୭୬୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୯ ହଜାର ୨୩୨ ଜଣ ଚିକିତ୍ସିତ ହେଉଛନ୍ତି।