ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ସର୍ବାଧିକ ୩,୩୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୫୩ଜଣ ଓ ସ୍ଥାନୀୟ ସଂକ୍ରମଣ ୧୩୧୮ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୪୭, କଟକରୁ ୩୫୭, ଗଞ୍ଜାମରୁ ୧୯୬, ଯାଜପୁରରୁ ୧୭୩, ନୟାଗଡ଼ରୁ ୧୭୧, ସୁନ୍ଦରଗଡ଼ରୁ ୧୫୪, ରାୟଗଡ଼ାରୁ ୧୪୬, ପୁରୀରୁ ୧୪୪, ସମ୍ବଲପୁରରୁ ୧୦୭, ମାଲକାନଗିରିରୁ ୧୩୪, ଭଦ୍ରକ ୧୧୪, ବାଲେଶ୍ୱର ଓ ବରଗଡ଼ ଜିଲ୍ଲାରୁ ୯୮ ଜଣ ଲେଖାଏଁ ରହିଛନ୍ତି।
ଅନ୍ୟପଟେ ଆକ୍ରାନ୍ତ ଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି। କରୋନା ଯୋଗୁ ୧୩ ଜଣ ଆଖି ବୁଜିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୩ଜଣ ଲେଖାଏଁ, କଟକ ଓ ଗଞ୍ଜାମରୁ ୨ଜଣ ଲେଖାଏଁ, କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୪୪୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୪ଲକ୍ଷ ୮୫ ହଜାର ୧୬୭ ଜଣଙ୍କ କରୋନା ଟେଷ୍ଟ କରାଯାଇଥିବାବେଳେ ୮୭,୬୦୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୫୯ ହଜାର ୪୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୪୪୧ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୨୭ହଜାର ୬୩୮ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।