ନିଟ୍ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଏନେଇ ନବୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି। କରୋନା ସମୟରେ ପରୀକ୍ଷା କେନ୍ଦ୍ର ଯାଇ ପରୀକ୍ଷା ଦେବା ନିରାପଦ ନୁହେଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ବିଭିନ୍ନ ସ୍ଥାନରେ ଲକଡାଉନ ଓ ସଟଡାଉନ ମଧ୍ୟରେ ଯାତାୟତରେ ସମସ୍ୟା ଦେଖାଦେବ। ଓଡ଼ିଶାର ଆଦିବାସୀ ପିଲାଙ୍କ ଲାଗି ପରୀକ୍ଷା ଦେବାରେ ସମସ୍ୟା ଉପୁଜିବ। ଦୁର୍ଗମ ଅଞ୍ଚଳ ଯାଇ ପରୀକ୍ଷା ଦେବାରେ ଅସୁବିଧା ହେବ ତେଣୁ ଓଡ଼ିଶାର ସମସ୍ତ ୩୦ ଜିଲ୍ଲାରେ କେନ୍ଦ୍ର କରିବାକୁ ନବୀନ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିଟ୍ ଓ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ। କରୋନା ସମୟରେ ପରୀକ୍ଷା କରାଇଲେ ଛାତ୍ରଛାତ୍ରୀଙ୍କ ଜୀବନ ବିପଦରେ ପଡ଼ିପାରେ ବୋଲି ମମତା ଚିଠିରେ ଦର୍ଶାଇଥିଲେ।