ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀକୁ ନେଇ ଚିନ୍ତାଜନକ ପରିସ୍ଥିତି ଲାଗି ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ଲକ୍ଷକୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁସଂଖ୍ୟା ୫୨ ହଜାରରେ ପହଞ୍ଚିଛି। କରୋନା ମାମଲା ବଢ଼ିବାର ବେଗ ଅନୁସାରେ ଭାରତ ବିଶ୍ୱର ପ୍ରଥମ ସ୍ଥାନରେ ରହିଛି। ଗତ ୨୪ ଘଣ୍ଟାରେ ୫୫ ହଜାର ୭୯ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୮୭୬ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଆମେରିକାରେ ଦିନକରେ ୪୦,୬୧୨ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ବ୍ରାଜିଲରେ ୨୩ ହଜାର ୩୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ୧୪ ଦିନରେ ପ୍ରତିଦିନ ସାମ୍ନାକୁ ଆସୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡସ୍ତରରେ ବୃଦ୍ଧି ପାଇବାରେ ଲାଗିଛି। ଭାରତକୁ ନେଇ ଡବ୍ଲୁଏଚଓ ଯେଉଁ ରିପୋର୍ଟ ଜାରି କରିଛି ତାହା ମଧ୍ୟ ଚିନ୍ତା ବଢ଼ାଇ ଦେଇଛି। ରିପୋର୍ଟ ଅନୁସାରେ, ଗତ ୧୪ ଦିନରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ ରହିଛି। ଏହାର ଅର୍ଥ ଅନ୍ୟ ଦେଶ ତୁଳନାରେ ଭାରତରେ ସବୁଠୁ ଅଧିକ ମାମଲା ସାମ୍ନାକୁ ଆସିଛି। କିନ୍ତୁ ମୋଟ କରୋନା ଆକ୍ରାନ୍ତଙ୍କ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି।
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୨ହଜାର ୭୪୨ ହୋଇଥିବାବେଳେ ୧୯ଲକ୍ଷ ୭୭ ହଜାର ଲୋକ ସୁସ୍ଥ ହୋଇଛନ୍ତି। ସେହିପରି ୫୧ ହଜାର ୭୯୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୬ଲକ୍ଷ ୭୩ ହଜାର ଚିକିତ୍ସିତ ହେଉଛନ୍ତି।