ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବେ ଆମେରିକା ଓ ବ୍ରାଜିଲଠାରୁ ବି ଅଧିକ ଦ୍ରୁତ ଗତିରେ ବ୍ୟାପି ଚାଲିଛି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ଲକ୍ଷ ୬୮ ହଜାର ୬୭୫କୁ ବୃଦ୍ଧି ପାଇଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୪୫ ହଜାର ୨୫୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୫ ଲକ୍ଷ ୮୩ ହଜାର ଲୋକ ସୁସ୍ଥ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ ୫୩ ହଜାର ୬୦୧ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୮୭୧ ଜଣଙ୍କର ମୃତ୍ୟୁ ଘଟିଛି।
ଦେଶରେ କରୋନା ଟେଷ୍ଟ କ୍ଷମତା ବଢ଼ାଇ ଦିନକରେ ୭ ଲକ୍ଷରୁ ଅଧିକ ନମୁନା ଯାଞ୍ଚ କରାଯାଉଛି। ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟିରୁ ଊର୍ଦ୍ଧ ନମୁନା ଟେଷ୍ଟ କରାଯାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ୬ ଲକ୍ଷ ୪୦ ହଜାର ଚିକିତ୍ସିତ ହେଉଥିବାବେଳେ ମୃତ୍ୟୁହାର ମଧ୍ୟ ୧.୯୯ ପ୍ରତିଶତକୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨୯୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ତାମିଲନାଡ଼ୁ ଓ କର୍ଣ୍ଣାଟକରେ ୧୧୪ ଲେଖାଏଁ, ଆନ୍ଧ୍ରପ୍ରଦେଶରେ ୮୦ ଓ ଉତ୍ତରପ୍ରଦେଶରେ ୫୧ ଜଣଙ୍କର ମୃତ୍ୟୁ ଘଟିଛି।
ବିଶ୍ୱରେ ସବୁଠୁ ଅଧିକ କରୋନା ସଂକ୍ରମିତ ଦେଶ ମାମଲାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଆମେରିକା, ବ୍ରାଜିଲ ପରେ ଭାରତ କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଆମେରିକାରେ ଗତ ୨୪ ଘଣ୍ଟାରେ ୪୮ହଜାର ୮୧୦ ମାମଲା ସାମ୍ନାକୁ ଆସିଥିବାବେଳେ ୫୩୭ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ବ୍ରାଜିଲରେ ୨୧ ହଜାର ୮୮୮ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୭୨୧ ଜଣଙ୍କର ମୃତ୍ୟୁ ଘଟିଛି।