ଦେଶରେ କରୋନା ମୃତ୍ୟୁ ୮୦ ହଜାର ଟପିଲା : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ନିକଟତର

ନୂଆଦିଲ୍ଲୀ: ଦେଶରେ କରୋନା ପ୍ରକୋପ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୮୦ ହଜାରରୁ ଉର୍ଦ୍ଧ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୫୦ ଲକ୍ଷ ନିକଟତର ହୋଇଗଲାଣି। ଗତ ୨୪ ଘଣ୍ଟାରେ ୮୩ ହଜାର ୮୦୯ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧,୦୫୪ ଜଣଙ୍କର ମୃତ୍ୟୁ ଘଟିଛି। ସେପ୍ଟେମ୍ବରରୁ ଲଗାତାର ପ୍ରତିଦିନ ହଜାରେରୁ ଉର୍ଦ୍ଧ ଜଣଙ୍କର ମୃତ୍ୟୁ ଘଟିଛି। ଆଶ୍ୱସ୍ତିକର କଥାଟି ହେଲା, ୨୪ ଘଣ୍ଟାରେ ୭୯ହଜାର ୨୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯ଲକ୍ଷ ୩୦ହଜାରକୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୮୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି, ୩୫ଲକ୍ଷ ୫୯ ହଜାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୯ଲକ୍ଷ ୯୦ ହଜାର ଚିକିତ୍ସିତ ହେଉଛନ୍ତି। ସକ୍ରିୟ ସଂକ୍ରମିତଙ୍କ ତୁଳନାରେ ସୁସ୍ଥହାର ୪ ଗୁଣା ଅଧିକ ରହିଛି।

ଆଇସିଏମଆର ମୁତାବକ, ସେପ୍ଟେମ୍ବର ୧୪ ସୁଦ୍ଧା ଦେଶରେ ୫ କୋଟି ୮୩ଲକ୍ଷ ନମୁନା ଟେଷ୍ଟ ହୋଇଥିବାବେଳେ ଗତକାଲି ୧୧ଲକ୍ଷ ନମୁନା ଟେଷ୍ଟ କରାଯାଇଛି। କରୋନା ସଂକ୍ରମିତ ମାମଲା ୭ ପ୍ରତିଶତ କମ୍ ରହିଛି।