ଭାରତରେ କରୋନା ଟେଷ୍ଟ ୨ କୋଟିକୁ ବୃଦ୍ଧି : କମୁଛି ମୃତ୍ୟୁହାର

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଅଧିକ ଲୋକଙ୍କର କରୋନା ଟେଷ୍ଟ ହୋଇସାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ରେକର୍ଡସଂଖ୍ୟକ ୬ଲକ୍ଷ ୬୦ ହଜାର ଲୋକଙ୍କ କରୋନା ଟେଷ୍ଟ କରାଯାଇଛି। ଏଥିସହିତ ସୁସ୍ଥସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ମାମଲାଠାରୁ ୨ଗୁଣ ଅଧିକ ରହିଛି।

ଦେଶରେ କରୋନା ମୃତ୍ୟୁହାର ଦିନକୁଦିନ କମି କମି ଯାଉଛି। ଜୁନ୍ ଦ୍ୱିତୀୟ ସପ୍ତାହରେ ଦେଶରେ କରୋନା ମୃତ୍ୟୁହାର ୩.୩୬ ପ୍ରତିଶତ ଥିଲା। ଜୁଲାଇ ପ୍ରଥମ ସପ୍ତାହରେ ମୃତ୍ୟୁହାର କମି ୨.୯୬ରେ ପହଞ୍ଚିଥିଲା। ଏବେ ଦେଶରେ ମୃତ୍ୟୁହାର ସର୍ବନିମ୍ନ ସ୍ତରରେ ୨.୧୦ ପ୍ରତିଶତ ରହିଛି। କରୋନାରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟୁହାର ଅଧିକ ରହିଛି।