ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଲଗାତାର ଭାବେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରେକର୍ଡସଂଖ୍ୟକ ୬୯ ହଜାର ୮୭୮ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୯୪୫ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ନିକଟତର ହୋଇଛି। ସେହିପରି ଆମେରିକାରେ ୨୪ ଘଣ୍ଟାରେ ୫୦ ହଜାର ୪୨୧ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ବ୍ରାଜିଲରେ ୩୧ ହଜାର ୩୯୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ଲକ୍ଷ ୭୫ହଜାର ୭୦୧ ହୋଇଥିବାବେଳେ ୫୫ ହଜାର ୭୯୪ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୨୨ଲକ୍ଷ ୨୨ ହଜାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୬ଲକ୍ଷ ୯୭ ହଜାର ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ, ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିଲେ ମଧ୍ୟ ମୃତ୍ୟୁହାର କମିଛି। ମୃତ୍ୟୁହାର କମି ୧.୮୭ ପ୍ରତିଶତ ହୋଇଯାଇଛି। ଅନ୍ୟପଟେ ସୁସ୍ଥହାର ମଧ୍ୟ ୭୫ ପ୍ରତିଶତ ହୋଇଯାଇଛି। ଆଇସିଏମଆରର କହିବାନୁସାରେ, ଅଗଷ୍ଟ ୨୧ ସୁଦ୍ଧା ୩ କୋଟି ୪୫ ଲକ୍ଷ ନମୁନା ଟେଷ୍ଟ ହୋଇଥିବାବେଳେ ଗତକାଲି ୧୦ ଲକ୍ଷ ଟେଷ୍ଟ କରାଯାଇଛି।