୨୪ ଘଣ୍ଟାରେ ସର୍ବାଧିକ ୭୬ ହଜାର ନୂଆ କରୋନା ମାମଲା: ସଂଖ୍ୟା ୩୫ ଲକ୍ଷ ନିକଟତର

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ଥମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟାରେ ସବୁ ରେକର୍ଡକୁ ଭାଙ୍ଗି ସର୍ବାଧିକ ୭୬ ହଜାର ୪୭୨ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଅନ୍ୟପଟେ ୧,୦୨୧ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ୩୪ ଲକ୍ଷ ୬୩ ହଜାର କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୬୨ ହଜାର ୫୫୦ ଜଣଙ୍କର ମୃତ୍ୟୁ ଘଟିଛି,୨୬ଲକ୍ଷ ୪୮ ହଜାର ଲୋକ ସୁସ୍ଥ ହୋଇଛନ୍ତି ଓ ୭ଲକ୍ଷ ୫୨ ହଜାର ଜଣ ଚିକିତ୍ସିତ ହେଉଛନ୍ତି।

ଖାସ୍ କଥାଟି ହେଲା, ମୃତ୍ୟୁହାର ଓ ସକ୍ରିୟ ସଂକ୍ରମିତଙ୍କ ହାର ଦିନକୁଦିନ କମିବାରେ ଲାଗିଛି। ମୃତ୍ୟୁହାର ୧.୮୧ ପ୍ରତିଶତ ହୋଇଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ହାର ମଧ୍ୟ ୨୨ ପ୍ରତିଶତ ଖସିଯାଇଛି। ଆଉ ସୁସ୍ଥହାର ୭୬ ପ୍ରତିଶତ ହୋଇଯାଇଛି।

ସୂଚନାଯୋଗ୍ୟ, ଦେଶରେ ସବୁଠୁ ଅଧିକ କରୋନା ସକ୍ରିୟ ମାମଲା ମହାରାଷ୍ଟ୍ରରେ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ଦେଢ଼ ଲକ୍ଷ ସକ୍ରିୟ ମାମଲା ରହିଥିବାବେଳେ ଦ୍ୱିତୀୟରେ ତାମିଲନାଡ଼ୁ, ତୃତୀୟରେ ଦିଲ୍ଲୀ, ଚତୁର୍ଥରେ ଗୁଜରାଟ ଓ ପଞ୍ଚମରେ ପଶ୍ଚିମବଙ୍ଗ ରହିଛି। ବିଶ୍ୱରେ ସକ୍ରିୟ ସଂକ୍ରମଣ ମାମଲାରେ ଭାରତ ତୃତୀୟ ଓ ମୃତ୍ୟୁ ମାମଲାରେ ଚତୁର୍ଥ ସ୍ଥାନରେ ରହିଛି।