ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶର କୋଭିଡ ଟେଷ୍ଟିଂ ମାମଲାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ଵିତୀୟ ସ୍ଥାନରେ ଥିବା ଓଡ଼ିଶା ଏବେ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି । କରୋନା ସମୟରେ ସରକାରଙ୍କ ଅପାର ଉଦ୍ୟମ ଯୋଗୁ ଓଡ଼ିଶା ଏପରି ସଫଳତା ହାସଲ କରିପାରିଛି। ଓଡ଼ିଶାରେ ଦୈନିକ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେଉଥିବା ଜଣାପଡ଼ିଛି। ଏଥିସହିତ ପ୍ରତି ୧୦ ଲକ୍ଷରେ ଓଡ଼ିଶାରେ ଦୈନିକ ୧୨୬୫ ଟେଷ୍ଟ ହେଉଛି । ସେହିପରି ମଧ୍ୟପ୍ରଦେଶରେ ପ୍ରତି ୧୦ ଲକ୍ଷରେ ୨୪୪, ରାଜସ୍ଥାନରେ ୩୦୯, ପଶ୍ଚିମବଙ୍ଗରେ ୩୬୫, ବିହାରରେ ୪୦୮, କେରଳରେ ୫୩୪, ପଞ୍ଜାବରେ ୫୪୬ ଓ ମହାରାଷ୍ଟ୍ରରେ ୫୭୯ ଟେଷ୍ଟିଂ ହେଉଛି। ସମସ୍ତ ବିକଶିତ ରାଜ୍ୟ ମଧ୍ୟ ଏହି କ୍ଷେତ୍ରରେ ଓଡ଼ିଶା ପଛକୁ ରହିଛନ୍ତି । କେବଳ ରାଜ୍ୟ ନୁହେଁ, ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଟେଷ୍ଟିଂ କ୍ଷେତ୍ରରେ ଓଡ଼ିଶା ପଛକୁ ରହିଛନ୍ତି । ଏପରିକି ଭାରତର ଟେଷ୍ଟିଂ ହାର ୧୦ ଲକ୍ଷରେ ୫୮୦ ଥିବାବେଳେ ଏହାଠାରୁ ଆହୁରି ୬୮୫ ଟେଷ୍ଟ ଓଡ଼ିଶାରେ ଅଧିକ ହେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ମୃତ୍ୟୁହାର ମଧ୍ୟ କମ ରହିଛି ।