ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ କଷ୍ଟମ୍ସ ବୋର୍ଡ(ସିବିଆଇସି) ସୂଚନା ଅନୁସାରେ ମାର୍ଚ୍ଚ ୩୦ ଠାରୁ ଆଜି ପର୍ଯ୍ୟନ୍ତ ୫ ହଜାର ୫୭୫ କୋଟି ଟଙ୍କା ମୂଲ୍ୟର ୧୨ ହଜାର ୯୧୩ଟି ଟିକସ ଫେରସ୍ତ ଆବେଦନ ପ୍ରକ୍ରିୟାକରଣ ହୋଇଛି। ଗତ ଏକ ସପ୍ତାହ ମଧ୍ୟରେ ସିବିଆଇସି ୭ ହଜାର ୮୭୩ଟି ଆବେଦନ ପ୍ରକ୍ରିୟାକରଣ କରି ୩ ହଜାର ୮୫୪ କୋଟି ଟଙ୍କା ଫେରସ୍ତ କରିଥିବା ଜଣାପଡିଛି। ଏହା ପୂର୍ବରୁ, ସିବିଆଇସି ଜିଏସଟି ଟିକସଦାତାଙ୍କ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଫେରସ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ତ୍ରୁଟିପୂର୍ଣ୍ଣ ଦାବିଗୁଡିକ ପ୍ରକ୍ରିୟାକରଣ ନ କରିବା ପାଇଁ ପଦକ୍ଷେପ ନେଇଛି।
ମାର୍ଚ୍ଚ ୧୪ରେ ଆୟୋଜିତ ୩୯ତମ ବୈଠକରେ ଜିଏସଟି ପରିଷଦର ଅନୁମୋଦନ କ୍ରମେ ଏହି ପଦକ୍ଷେପ କାର୍ୟ୍ୟକାରୀ କରାଯାଇଥିଲା ଯାହା ନକଲି ଦାବି ପ୍ରକ୍ରିୟାକରଣ ନକରିବା ଏବଂ ଟିକସଦାତାମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହି ବୈଠକରେ ରପ୍ତାନିକାରୀଙ୍କ ଫେରସ୍ତ ଦାବିକୁ ସହଜ କରିବା ପାଇଁ ଆର୍ଥିକ ବର୍ଷ ମଧ୍ୟରେ ଟିକସ ଅବଧିକୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ମାର୍ଚ୍ଚ ୩୧ ପରେ ଦାଖଲ ହୋଇଥିବା ଆବେଦନଗୁଡିକ ପାଇଁ ଏହା ପ୍ରଯୁଜ୍ୟ ହେବ ବୋଲି ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।