ଆଜି କଂଗ୍ରେସ ଓ୍ଵାର୍କିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ, ନୂଆ ପାର୍ଟି ଅଧ୍ୟକ୍ଷ ନିର୍ବାଚନ ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,ଏଜେନ୍ସି: ଆଜି କଂଗ୍ରେସ ପକ୍ଷରୁ ନିଜର ଶ୍ରେଷ୍ଠ ନୀତି ନିର୍ଦ୍ଧାରଣ ଶାଖା କଂଗ୍ରେସ କାର୍ଯ୍ୟ କମିଟି (ସିଡବ୍ଲ୍ୟସି)ର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ପାର୍ଟିର ଅଧ୍ୟକ୍ଷ ନିର୍ବାଚନକୁ ନେଇ ସ୍ଥିତି ସ୍ପଷ୍ଟ ହେବାର ଆଶଙ୍କା ରହିଛି। ସିଡବ୍ଲ୍ୟସିର ଏହି ଡିଜିଟାଲ ବୈଠକ ପୂର୍ବାହ୍ଣ ସାଢ଼େ ୧୦ଟାରେ ଅନୁଷ୍ଠିତ ହେବ।

ସୂତ୍ର ଅନୁସାରେ ଏହି ବୈଠକରେ ନୂଆ ଅଧ୍ୟକ୍ଷଙ୍କ ନିର୍ବାଚନ ସହିତ ଚାଷୀ ଆନ୍ଦୋଳନ ଓ କିଛି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। କୁହାଯାଉଛି ଯେ, ଏହି ବୈଠକରେ ଅଧ୍ୟକ୍ଷଙ୍କ ନିର୍ବାଚନକୁ ସବୁଜ ସଂକେତ ମିଳିପାରେ। ଏଥି ସହିତ ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇପାରେ।

ସୂଚନାଯୋଗ୍ୟ, ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପରାସ୍ତ ହେବା ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସୋନିଆ ଗାନ୍ଧୀଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା। ବିହାର ନିର୍ବାଚନ ଓ କିଛି ରାଜ୍ୟରେ ଉପ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଗୁଲାମ ନବୀ ଆଜାଦ ଓ କପିଲ ସିବଲ ଭଳି ବରିଷ୍ଠ ନେତାମାନେ ପାର୍ଟିର ସକ୍ରିୟ ଅଧ୍ୟକ୍ଷକୁ ନେଇ ଦାବି କରିଛନ୍ତି।