ନୂଆଦିଲ୍ଲୀ: ସମଗ୍ର ଦେଶରେ ସାଇକ୍ଲୋନ ମ୍ୟାନ ଭାବେ ପରିଚିତ ଭାରତୀୟ ପାଣିପାଗ ବିଭାଗ (IMD)ର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି । ଦେଶର ପାଣିପାଗ ବିଜ୍ଞାନର କମାଣ ସମ୍ଭାଳୁଥିବା ଡ.ମହାପାତ୍ର ଏବେ ବିଶ୍ବ ପାଣିପାଗ ସଂଗଠନ (WMO) ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ପଦବୀ ପାଇଁ ସାଙ୍ଗଠନିକ ନିର୍ବାଚନ ହୋଇଥିଲା । ଏଥିରେ ମୋଟ ୧୪୮ ଭୋଟରୁ ୧୧୩ଟି ଭୋଟ ପାଇ ଉପାଧ୍ୟକ୍ଷ ଭାବେ ଡ.ମହାପାତ୍ର ନିର୍ବାଚିତ ହୋଇଛନ୍ତି । ଏନେଇ WMO ଏକ ଟ୍ବିଟ ଜରିଆରେ ସୂଚନା ଦେଇଛି । ଡ. ମହାପାତ୍ରଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ପାଣିପାଗ ବିଜ୍ଞାନୀ ମଧ୍ୟ ସଂଗଠନର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।
ଡ. ମହାପାତ୍ରଙ୍କ ବ୍ୟତୀତ ଆୟରଲାଣ୍ଡର ପାଣିପାଗ ବିଜ୍ଞାନ ବିଭାଗ ମୁଖ୍ୟ ଇଓନ ମୋରାନ ଓ ଆଇଭୋରୀ କୋଷ୍ଟର ପାଣିପାଗ ବିଭାଗ ମୁଖ୍ୟ ଡୋଉଦା କୋନାଟେ ମଧ୍ୟ ଉପାଧ୍ଯକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଡ.ମହାପାତ୍ର ୨୦୧୯ରେ ଦେଶର ସର୍ବୋଚ୍ଚ ପାଣିପାଗ ବିଜ୍ଞାନ ସଂସ୍ଥା IMDର ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ବରେ ଉଭୟ ବଙ୍ଗୋପ ସାଗର ଓ ଆରବ ସାଗରରେ ପ୍ରତିବର୍ଷ ସୃଷ୍ଟି ହେଉଥିବା ସାମୁଦ୍ରିକ ଝଡର ସଠିକ ପୂର୍ବାକଳନ କରି IMD ବହୁ ଧନଜୀବନ ରକ୍ଷା କରିପାରିଛି । ଉନ୍ନତ ଜ୍ଞାନ କୌଶଳ, ସଠିକ ଗବେଷଣା ଓ ପ୍ରଭାବୀ ମଡେଲ ଅନୁଧ୍ୟାନ ଫଳରେ ନିର୍ଭୁଲ ତଥା ସଠିକ ବାତ୍ୟା ଆକଳନ ପ୍ରତିବର୍ଷ ଦେଶରେ ପ୍ରକୃତିକ ବିପର୍ଯ୍ୟୟ ପରିଚାଳନାରେ ବଡ ଭୂମିକା ଗ୍ରହଣ କରିଆସୁଛି ।