ତାଲିବାନ ନେତାଙ୍କୁ ଇମ୍ରାନଙ୍କ ସାକ୍ଷାତ ଖବରକୁ ପାକିସ୍ତାନର ଖଣ୍ଡନ

ଇସ୍ଲାମାବାଦ, ଏଜେନ୍ସି : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆଫଗାନର ତାଲିବାନ ନେତାମାନଙ୍କୁ ଭେଟି ନାହାନ୍ତି ବୋଲି ତାଙ୍କର ଜଣେ ପ୍ରମୁଖ ସହଯୋଗୀ ଶୁକ୍ରବାର କହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ତଥା ଅନ୍ତର୍ଜାତୀୟ ମିଡିଆରେ ପ୍ରକାଶିତ ରିପୋର୍ଟକୁ ପାକିସ୍ତାନ ପକ୍ଷରୁ ଖଣ୍ଡନ କରାଯାଇ ଏହା ସତ୍ୟ ନୁହେଁ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଇମ୍ରାନ୍ ଏବଂ ମୁଲ୍ଲା ଅବଦୁଲ୍ ଘନୀ ବରାଦରଙ୍କ ନେତୃତ୍ୱରେ ତାଲିବାନ୍ ରାଜନୈତିକ କମିଶନ (ଟିପିସି) ମଧ୍ୟରେ ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟା ନେଇ ଆଲୋଚନା ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଜିଓ ନ୍ୟୁଜ୍ ଚାନେଲରେ ଇମ୍ରାନ୍ ଖାନ୍ ଏହି ଆଲୋଚନା ସମୟରେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଉଥିବା କୁହାଯାଇଥିଲା। ବିବିସି ରିପୋର୍ଟରେ କୁହାଯାଇଥିଲା ଯେ, ତାଲିବାନ ପ୍ରତିନିଧିଙ୍କ ସହ ଇମ୍ରାନଙ୍କ ଆଲୋଚନା ବେଳେ ପାକ୍ ସେନାଧ୍ୟକ୍ଷ ଜେନେରାଲ କ୍ୱାମାର ଜାଭେଦ ବାଜୱା ସେଠାରେ ଉପସ୍ଥିତ ଥିଲେ। ତେବେ ପାକ୍ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଏହି ରିପୋର୍ଟକୁ ଅସ୍ୱୀକାର କରିଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ସ୍ୱତନ୍ତ୍ର ସୂଚନା ସହାୟକ ଫିରଦୌଶ ଆଶିକ୍ ଅୱାନ ଟୁଇଟରରେ ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି।