ବିଜ୍ଞାନମେଳା ନାଁ’ରେ ଛାତ୍ରଛାତ୍ରୀଙ୍କ ଠାରୁ ବେଆଇନ ଭାବେ ଅର୍ଥ ସଂଗ୍ରହ, ଏଆଇଡିଏସଓର ବିକ୍ଷୋଭ

ବଲାଙ୍ଗିର,ଏନ୍ଏନ୍ଏସ୍: ବିଜ୍ଞାନମେଳା ନାଁ’ରେ ଛାତ୍ରଛାତ୍ରୀଙ୍କ ଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରାଯାଉଥିବାରୁ ଏହାକୁ ବିରୋଧ କରି ଛାତ୍ର ସଂଗଠନ ଏଆଇଡିଏସଓ ତରଫରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରବିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବେଆଇନ ଭାବେ ସଂଗୃହିତ ହୋଇଥିବା ଅର୍ଥ ତୁରନ୍ତ ଫେରସ୍ତ କରିବା ଓ ଏଭଳି ବେଆଇନ କାମ କରିଥିବା କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

ଛାତ୍ର ସଂଗଠନ ତରଫରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସେମାନଙ୍କ ସୃଜନଶୀଳତାର ବିକାଶ କରିବା ପାଇଁ ବିଦ୍ୟାଳୟମାନଙ୍କରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ବିଦ୍ୟାଳୟମାନଙ୍କୁ ସରକାର ଅନୁଦାନ ଯୋଗାଇଥାନ୍ତି। କିନ୍ତୁ ବିଜ୍ଞାନମେଳା ନାଁ’ରେ ଛାତ୍ରଛାତ୍ରୀଙ୍କ ଠାରୁ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅର୍ଥ ଆଦାୟ କରାଯାଇଛି।

ତେବେ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଗତ ଅକ୍ଟୋବର ୧୦ତାରିଖରେ ସିଆରସିସିମାନଙ୍କୁ ଜାରି କରାଯାଇଥିବା ପତ୍ରସଙ୍ଖ୍ୟା-୧୯୯୨ରେ ବିଜ୍ଞାନମେଳା ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଅର୍ଥ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଥମିକ ବିଦ୍ୟାଳୟ ପାଇଁ ୪୦୦ ଟଙ୍କା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୬୦୦ ଟଙ୍କା, ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୧୧୦୦ ଟଙ୍କା ଓ ହାଇସ୍କୁଲ ପାଇଁ ୮୦୦ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଏହି ନିର୍ଦ୍ଦେଶ ସମ୍ପୂର୍ଣ୍ଣ ଭାବେ ଶିକ୍ଷା ଅଧିକାର ଆଇନର ଖିଲାପ କରୁଥିବା ଦର୍ଶାଇ ଚାରିଆଡ଼େ ବିରୋଧ ଆରମ୍ଭ ହୋଇଛି।

ଫଳରେ ଗତ ୧୩ ତାରିଖ ପତ୍ରସଂଖ୍ୟା ୧୧୮୪ ଜରିଆରେ ବିଇଓଙ୍କ ଆଦେଶ ପ୍ରତ୍ୟାହାର ସହିତ ସଂଗୃହିତ ଅର୍ଥ ଫେରସ୍ତ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଏହି ଭଳି ଏକ ବେଆଇନ କାମ କରିବା ପାଇଁ ବ୍ଲକ୍ ଶିକ୍ଷାଧିକାରୀ କିଭଳି ସାହସ କଲେ ବୋଲି ଏଆଇଡିଏସଓ ତରଫରୁ ପ୍ରଶ୍ନ କରାଯିବା ସହିତ ଦାୟୀ କର୍ମଚାରୀଙ୍କ ବିରୋଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।