ବେଆଇନ ବାଲି ଚାଲାଣ ଯୋଗୁ ରାଜସ୍ୱହାନୀ

କନ୍ଧମାଳ,ଏନ୍‌ଏନ୍‌ଏସ୍‌: ଫୁଲବାଣୀ ବ୍ଲକ ଅଞ୍ଚଳ ଦେଇ ସାଲୁଙ୍କି ନଦୀ ପ୍ରବାହିତ ହେଉଛି । ସାଲୁଙ୍କି ନଦୀର ବିଭିନ୍ନ ଘାଟରୁ ଶତାଧିକ ଟ୍ରିପ ବାଲି ବିଭିନ୍ନ ସ୍ଥାନକୁ ଚୋରାରେ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଫଳରେ ନଦୀ ପାର୍ଶ୍ୱବର୍ତ୍ତୀ ରାସ୍ତା ନଷ୍ଟ ହେବାସହ ଏହା ସର୍ବସାଧାରଣଙ୍କ ଗମନାଗମନ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛି । ଫୁଲବାଣୀ ବ୍ଲକ ଅଧୀନ ଗଞ୍ଜୁଗୁଡ଼ା ପଞ୍ଚାୟତର ଡାହାପଦର, ହାତୀଗୋବା, ବିଶିପଡ଼ା ପଞ୍ଚାୟତର କୁମୁରିଗଡ଼ା ଘାଟରୁ ବ୍ୟାପକ ମାତ୍ରାରେ ଚୋରାରେ ବାଲି ଉଠାଣ ହେଉଛି । ଫଳରେ ବିଶିପଡ଼ା ଶଙ୍ଖଠାରୁ ଭୟା ଡାହାପଦର ଓ ହାତୀଗୋବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଇଡ଼ା ଦେଇ ଜାତୀୟ ରାଜପଥ ୧୫୭କୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହେବାସହ କାଦୁଅ ଏବଂ ଖାଲଖମା ହୋଇଛି । ଏହି ରାସ୍ତାର ଉନ୍ନତୀକରଣ ନିମନ୍ତେ ପ୍ରତି ବର୍ଷ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଛି । ମାତ୍ର ସାଲୁଙ୍କି ନଦୀ କୁମୁରିଗୁଡ଼ା ଘାଟରୁ ବାଲି ଉଠାଣ ନିମନ୍ତେ ତହସିଲ ପ୍ରଶାସନ ପକ୍ଷରୁ ନିଲାମ ହେଉଥିଲେ ସୁଧା ପରିବେଶ ମଞ୍ଜୁରୀ ମିଳିନଥିବାରୁ ରାଜସ୍ୱ ଆଦାୟ କରାଯାଉ ନାହିଁ ବୋଲି ତହସିଲଦାର ସୂଚନା ଦେଇଛନ୍ତି । ରାଜସ୍ୱ ଆଦାୟ କରାଯାଉ ନଥିବାର ସୁଯୋଗ ନେଇ ବାଲି ମାଫିଆମାନେ ବେଫିକର ଭାବେ ଦିନ ଓ ରାତିରେ ନଦୀ ପଠାରୁ ବାଲି ଆଣି ଉକ୍ତ ରାସ୍ତାରେ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ଜଣାପଡ଼ିଛି । ଉକ୍ତ ନଦୀପଠାରୁ ବେଆଇନ ବାଲି ଉଠାଣ ଯୋଗୁ ସରକାର ରାଜସ୍ୱ ହରାଉ ଥିବାବେଳେ ରାସ୍ତା ନଷ୍ଟ ଯୋଗୁ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିବା ସାର ହେଉଛି । ଏଥିପ୍ରତି ଫୁଲବାଣୀ ତଥା ଖଣ୍ଡମାଳ ତହସିଲ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।