ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପଗୁଡ଼ିକ ବନ୍ଦ କରାଯିବ। ଏ ନେଇ ସୋମବାର ଠାରୁ ମଣ୍ଡପଗୁଡ଼ିକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। ଯେଉଁ କଲ୍ୟାଣମଣ୍ଡପଗୁଡ଼ିକରେ ବିଏମ୍ସି ଏବଂ ବିଡିଏ ଗାଇଡଲାଇନ ଉଲ୍ଲଘଂନ କରାଯାଇଥିବା ଜଣାପଡ଼ିବ ସେଗୁଡ଼ିକ ସିଲ୍ କରି ଦିଆଯିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଗଣ୍ଡଗୋଳ ହେବାର ଆଶଙ୍କା ଥିବାରୁ ବିଏମ୍ସି କମିସନରେଟ ପୁଲିସର ସହାୟତା ଲୋଡ଼ିଛି।
ସହିଦନଗର, ଚନ୍ଦ୍ରଶେଖରପୁର ଏବଂ ଖଣ୍ଡଗିରି ଅଞ୍ଚଳରେ ୧୬ ବିବାହ ମଣ୍ଡପ ଏବଂ କଲ୍ୟାଣମଣ୍ଡପଗୁଡ଼ିକ ବିଏମ୍ସି ଏବଂ ବିଡିଏର ନିୟମ ପାଳନ କରୁନଥିବା ଜଣାପଡ଼ିଛି। ଏ ନେଇ ପ୍ରଥମେ ସହିଦନଗର ଅଞ୍ଚଳରେ ଥିବା ବେଆଇନ ବିବାହ ଏବଂ କଲ୍ୟାଣ ମଣ୍ଡପକୁ ଯାଞ୍ଚ କରାଯାଇ ସେଗୁଡ଼ିକୁ ସିଲ୍ କରି ଦିଆଯିବ। ପରେ ଅନ୍ୟ କଲ୍ୟାଣ ମଣ୍ଡପଗୁଡ଼ିକ ଯାଞ୍ଚ କରାଯିବ।
ସୂଚନାଯୋଗ୍ୟ ଯେ, ସହରରେ ୯୪ କଲ୍ୟାଣ ମଣ୍ଡପ ରହିଛି। ମଣ୍ଡପରେ ପରିମଳ ବ୍ୟବସ୍ଥା, ପାର୍କିଂ, ବର୍ଜ୍ୟବସ୍ତୁ ପରିଚାଳନା, ଆବଶ୍ୟକ ମୁକ୍ତ ସ୍ଥାନ, ଡ୍ରେନେଜ ବ୍ୟବସ୍ଥା ସଂକ୍ରାନ୍ତ କାଗଜପତ୍ର ଦାଖଲ କରିବାକୁ ବିଏମ୍ସି ପକ୍ଷରୁ କୁହାଯାଇଥିଲା।ସମୟସୀମା ଭିତରେ ମାତ୍ର ୩୬ କଲ୍ୟାଣ ମଣ୍ଡପ ପରିଚାଳକ କାଗଜପତ୍ର ଦାଖଲ କରିଛନ୍ତି। ସେହିପରି କାଗଜପତ୍ର ଦାଖଲ କରିଥିବା କଲ୍ୟାଣ ମଣ୍ଡପଗୁଡ଼ିକର ମଧ୍ୟ ଅତିଥିମାନଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ଯାଞ୍ଚ କରାଯିବ। ଗାଇଡଲାଇନ ଅନୁସାରେ ବ୍ୟବସ୍ଥାରେ କୌଣସି ଉଲ୍ଲଂଘନ ଥିଲେ ଉକ୍ତ ମଣ୍ଡପକୁ ସିଲ୍ କରାଯିବ ବୋଲି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ ଏବଂ ଡେପୁଟି କମିସନର ଶ୍ରୀମନ୍ତ ମିଶ୍ରଙ୍କ ସୂଚନାରୁ ଜଣାପଡ଼ିଛି।
ସିଲ୍ ହେବାକୁ ଥିବା କଲ୍ୟାଣମଣ୍ଡପ ସ୍ଥାନ
ମଧୁବନ କଲ୍ୟାଣମଣ୍ଡପ ସହିଦ ନଗର
ପାଲାଡିୟମ କୋର୍ଟୟାର୍ଡ ମଣ୍ଡପ ସହିଦ ନଗର
କୃପାସଦନ ପୁରୁଣା ଭୁବନେଶ୍ୱର
ଗୋଖୀ ବାବା କଲ୍ୟାଣମଣ୍ଡପ କପିଳପ୍ରସାଦ
ନାଳାଦ୍ରି କଲ୍ୟାଣମଣ୍ଡପ କପିଳପ୍ରସାଦ
ରୁକ୍ମିଣୀ କଲ୍ୟାଣମଣ୍ଡପ ବମିଖାଲ
ନିଳକଣ୍ଠ ଲାଇବ୍ରେରୀ ସାଇନ୍ସ ଜନତା ମଇଦାନ ପଛ
ରିଷି ରିସୋର୍ଟ ପଟିଆ
ରାଜାରାଣୀ ମଣ୍ଡପ ପାଣ୍ଡରା
ମା’ ତାରିଣୀ ମଣ୍ଡପ ପାଣ୍ଡରା
ମଙ୍ଗୁଳ କଲ୍ୟାଣମଣ୍ଡପ ଜିଜିପି କଲୋନୀ
କୋଚିଲା ଖାଇ କଲ୍ୟାଣ ମଣ୍ଡପ ଜିଜିପି କଲୋନୀ
ଆତ୍ମାରମ୍ ମ୍ୟାରେଜ ମଣ୍ଡପ ଆତ୍ମାରମ୍ ହୋଟେଲ୍ ସାମ୍ନା
ସତ୍ୟସାଇ ମଣ୍ଡପ ଖଣ୍ଡଗିରି
ଶ୍ରୀ ସାଇ ଗାର୍ଡେନ୍ ଖଣ୍ଡଗିରି
ହୋଟେଲ ଚନ୍ଦନ ବରମୁଣ୍ଡା