ଆଇଆଇଏମ୍ ସ୍ଥାୟୀ କ୍ୟାମ୍ପସ୍ ପାଇଁ ଏମଓୟୁ

ସମ୍ବଲପୁର,ଏନଏନ୍ଏସ୍: ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ କରିବା ପାଇଁ ଆଜି ବୁର୍ଲାସ୍ଥିତ ବିଶ୍ୱବିଦ୍ୟାଳୟ ପରିସର ଅସ୍ଥାୟୀ କ୍ୟାମ୍ପସରେ ଏମ୍ଓୟୁ ଅନୁଷ୍ଠିତ ହୋଇଯାଇଛି। ଆଇଆଇଏମ୍ ନିର୍ଦ୍ଦେଶକ ମହାଦେଓ ଜୟଶୱାଲ ଓ ନିର୍ମାଣକାରୀ ସଂସ୍ଥା ଏନ୍ବିସିସିର ଜିଏମ୍ (ଇଞ୍ଜିନିୟରିଂ) ଏକେ ସୋମଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଯାଇଛି।

ଆସନ୍ତା ୨୦୨୧ ସୁଦ୍ଧା ବସନ୍ତପୁର ଠାରେ ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଆଇଆଇଏମ୍ ପକ୍ଷରୁ ସୂଚନା ଦିଆଯାଇଛି। ଏନବିସିସି କମ୍ପାନୀ ଆସନ୍ତା ୬ ମାସ ମଧ୍ୟରେ ମାଟି ପରୀକ୍ଷା ସହ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ କରି ଅଢ଼େଇ ବର୍ଷ ମଧ୍ୟରେ ଅତ୍ୟାଧୁନିକ କ୍ୟାମ୍ପସ୍ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିବ। ପ୍ରକାଶ ଥାଉକି ଆଇଆଇଏମ୍ର ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ ପାଇଁ ବସନ୍ତପୁର ନିକଟରେ ସରକାରଙ୍କ ପକ୍ଷରୁ ୨୦୦ ଏକର ଜମି ଯୋଗାଇ ଦିଆଯାଇଥିବା ବେଳେ ୪୦୦ କୋଟି ଟଙ୍କା ମଞ୍ଜୁର ହୋଇଛି।

ସୂଚନାଯୋଗ୍ୟ ଯେ ୨୦୧୫ ଜୁଲାଇରେ ଶାସନସ୍ଥିତ ସିଲିକନ୍ କଲେଜ କ୍ୟାମ୍ପସରେ ସମ୍ବଲପୁରରେ ଆଇଆଇଏମ୍ ଆରମ୍ଭ ହୋଇଥିଲା। ପରେ ୨୦୧୭ ଏପ୍ରିଲରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆଇଆଇଏମର ଅସ୍ଥାୟୀ କ୍ୟାମ୍ପସ୍ କାର୍ଯ୍ୟ କରୁଛି।