ନୂଆଦିଲ୍ଲୀ,ଏଜେନ୍ସି: ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରି କାଶ୍ମୀର ପ୍ରସଙ୍ଗ ଉଠାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଷଣ ଉପରେ ଭାରତ ଜବାବ ଦେଇଛି। ଭାରତର ପ୍ରଥମ ସଚିବ ସ୍ନେହା ଦୁବେ ଏହାର କଡା ଯବାବ ରଖି ଅନେକ ପ୍ରଶଂସା ସାଉଁଟିଛନ୍ତି। ସେ କହିଥିଲେ ଯେ ପାକିସ୍ତାନ ନିଜର ଦେଶର ସ୍ଥିତିରୁ ବିଶ୍ୱର ମାନସିକତା ହଟାଇବା ପାଇଁ ଉଦ୍ୟମ କରୁଛି। ପାକିସ୍ତାନରେ ଆତଙ୍କବାଦୀମାନେ ଆନନ୍ଦରେ ଚଳପ୍ରଚଳ କରୁଛନ୍ତି। ୟୁଏନର ସଦସ୍ୟ ଦେଶ ଜାଣିଛନ୍ତି ଯେ, ପାକିସ୍ତାନର ଇତିହାସ ଆତଙ୍କବାଦୀଙ୍କୁ ପାଳନ କରିବା।
ମିଳିତ ଜାତିସଂଘରେ ତାଙ୍କର ଏହି ଭାଷଣ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଏହା ଭାଇରାଲ ହେବାରେ ଲାଗିଛି। ଏନେଇ ସେ ଅନେକ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ସ୍ନେହା ଦୁବେ ୨୦୧୨ ବ୍ୟାଚର ଜଣେ ଭାରତୀୟ ବୈଦେଶିକ ସେବା (ଆଏଫଏସ) ଅଧିକାରୀ। ସେ ଗୋଆରୁ ପାଠପଢା ସମାପ୍ତ କରିଥିଲେ। ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ପୁନେ ଫର୍ଗୁସନ୍ କଲେଜକୁ ଯାଇଥିଲେ ଏବଂ ଶେଷରେ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)କୁ ଆନ୍ତର୍ଜାତୀୟ ଅଧ୍ୟୟନରେ ଏମଫିଲ୍ ପାଇଁ ଯାଇଥିଲେ। ସେ ୨୦୧୧ରେ ପ୍ରଥମ ପ୍ରୟାସରେ ସିଭିଲ ସର୍ଭିସ ପରୀକ୍ଷା ପାସ୍ ହୋଇ ଆଇଏଫଏସରେ ମନୋନୀତ ହୋଇଥିଲେ। ପରେ ଦୁବେଙ୍କ ପ୍ରଥମ ନିଯୁକ୍ତି ବାହ୍ୟ ବ୍ୟାପାର ମନ୍ତ୍ରଣାଳୟରେ ଥିଲା। ୨୦୧୪ରେ ସେ ମାଡ୍ରିଡରେ ଥିବା ଭାରତୀୟ ଦୂତାବାସକୁ ଯାଇଥିଲେ।
ସର୍ବଭାରତୀୟ ସ୍ତରରେ ପ୍ରଶଂସା ଜିତିଥିବା ଏହି ଯୁବ କୂଟନୀତିଜ୍ଞ ଦୋହରାଇଛନ୍ତି ଯେ, ଜମ୍ମୁ କଶ୍ମୀର ଏବଂ ଲଦାଖର ସମଗ୍ର ୟୁନିଅନ୍ ଅଞ୍ଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ରହିବ। ଦୁବେ କହିଛନ୍ତି, “ଏଥିରେ ପାକିସ୍ତାନର ବେଆଇନ ଦଖଲରେ ଥିବା ଅଞ୍ଚଳ ଅନ୍ତର୍ଭୁକ୍ତ। ଆମେ ପାକିସ୍ତାନକୁ ଏହାର ବେଆଇନ ଦଖଲରେ ତୁରନ୍ତ ଖାଲି କରିବାକୁ ଆହ୍ୱାନ୍ କରୁଛୁ।