ଆବଶ୍ୟକ ପଡ଼ିଲେ ମାଂସ ଖଣ୍ଡର ଡିଏନଏ ଟେଷ୍ଟ ହେବ: ପୁଲିସ କମିଶନର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିବାକୁ ନେଇ ପୁଲିସ କମିଶନର ସୁଧୁାଂଶୁ ଶେଖର ଷଡ଼ଙ୍ଗୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କମିଶନର କହିଛନ୍ତି ଯେ, ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡକୁ ଫରେନସିକ୍ ଲ୍ୟାବ୍ ପଠାଯାଇଛି। ଆବଶ୍ୟକ ପଡ଼ିଲେ ତା’ର ଡିଏନଏ ଟେଷ୍ଟ କରାଯିବ। ଡିଏନଏ ଟେଷ୍ଟରୁ ସେ ଅଂଶ କାହାର ବୋଲି ସ୍ପଷ୍ଟ ହୋଇଯିବ। ଏଥିସହିତ କାଳେ ଗାତରେ କିଏ ରହିଯାଇଥିବ ସେଥିପାଇଁ ବିସ୍ଫୋରଣରେ ସୃଷ୍ଟି ହୋଇଥିବା ଗାତକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବ। ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଥିବାବେଳେ କେହି ଭୟଭୀତ ହେବାର ଆବଶ୍ୟକତା ନାହିଁ ।

ସେହିପରି ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ବିଭିନ୍ନ ଦଫାରେ ମାମଲା ହୋଇଛି। ପ୍ରାଥମିକ ତଦନ୍ତରୁ ସେଠାରେ ୪ଜଣ କାମ କରୁଥିବା ଜଣାପଡ଼ିଛି। ୪ ଜଣଙ୍କ ମଧ୍ୟରୁ ଏସସିବିରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାବେଳେ ତୃତୀୟ ଜଣକ ସୁରକ୍ଷିତ ଅଛନ୍ତି। ଚତୁର୍ଥ ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳୁନଥିବାବେଳେ ସେ ନିରୁଦ୍ଦିଷ୍ଟ ଥିବା ଅନୁମାନ କରାଯାଉଛି। ତଦନ୍ତ ପାଇଁ ବିଭିନ୍ନ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି କମିଶନର କହିଛନ୍ତି।