କରୋନା କିମ୍ବା ଅନ୍ୟ କୌଣସି ରୋଗାଗ୍ରସ୍ତ ମାଓବାଦୀ ଆତ୍ମସମର୍ପଣ କଲେ ମାଗଣା ଚିକିତ୍ସା ଦିଆଯିବ: ଏସପି

ମାଲକାନଗିରି,ଏନ୍ଏନ୍ଏସ୍: କରୋନା କିମ୍ବା ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଥିବା ମାଓବାଦୀମାନେ ଆତ୍ମସମର୍ପଣ କଲେ ମାଗଣା ଚିକିତ୍ସା ସୁବିଧା ସହ କୌଣସି ମାମଲା ମଧ୍ୟ କରାଯିବ ନାହିଁ ବୋଲି ମାଲକାନଗିରି ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି.ଖିଲାରୀ କହିଛନ୍ତି। ଆନ୍ଧ୍ର ଓ ଛତିଶଗଡ଼ର କିଛି ମାଓବାଦୀ ଏବେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ଆସୁଥିବାବେଳେ ମାଲକାନଗିରି ଜିଲ୍ଲା ଏହି ୨ ରାଜ୍ୟର ସୀମାରେ ରହିଛି। ସେଥିପାଇଁ ସ୍ୱାଭିମାନ ଅଞ୍ଚଳର ଲୋକେ ମାଓବାଦୀଙ୍କୁ ଗ୍ରାମରେ ପ୍ରବେଶ କରାଇବାକୁ ଦେଉନାହାନ୍ତି। କିଛି ମାଓବାଦୀଙ୍କଠାରେ ଜ୍ୱର, କାଶ ଭଳି ଲକ୍ଷଣ ରହିଥିବା ଖବର ଆସୁଛି। ତଣୁ ସେମାନଙ୍କୁ ମଧ୍ୟ ସଂକ୍ରମଣ ହୋଇନଥିବ ବୋଲି ଆମେ କହିପାରିବୁ ନାହିଁ। ଯେଉଁ ମାଓବାଦୀଙ୍କୁ କରୋନା ହୋଇଛି ସେମାନେ ଆତ୍ମସମର୍ପଣ କଲେ ଚିକିତ୍ସା ସୁବିଧା ସହ ଥଇଥାନ ମଧ୍ୟ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତି।