ଥିରୁବାନନ୍ତପୁରମ୍,ଏଜେନ୍ସି: କେରଳର ଇଡ୍ଡୁକି ଜିଲ୍ଲା ମୁନ୍ନାର ନିକଟସ୍ଥ ରାଜମଳାରେ ଭୂସ୍ଖଳନ ଯୋଗୁଁ ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି ପାଇଛି। ଶନିବାର ରାତି ସୁଦ୍ଧା ମୃତ୍ୟୁସଂଖ୍ୟା ୨୬ ରହିଥିବାବେଳେ ରବିବାର ୧୭ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ଇଡ୍ଡୁକି ଜିଲ୍ଲାର ରାଜମାଲାରେ ଭୀଷଣ ବର୍ଷାରେ ଏକ ଚା’ ବଗିଚାର ତଳିଆ ଅଞ୍ଚଳରେ ଶୁକ୍ରବାର ଭୂ-ସ୍ଖଳନ ଘଟିଥିଲା। ଉକ୍ତ ଅଞ୍ଚଳରେ ଚା’ବଗିଚା ଶ୍ରମିକଙ୍କ ପରିବାରର ୭୮ଜଣ ଲୋକ ୩୦ଟି ଘରେ ବାସ କରୁଥିଲେ। ଭୂ-ସ୍ଖଳନ ଯୋଗୁଁ ୨୦ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ପୀଡ଼ିତଙ୍କ ମଧ୍ୟରୁ ୧୫ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ନେଟୱାର୍କ ନଥିବାରୁ କୌଣସି ଯୋଗାଯୋଗ ନହୋଇପାରିବା କାରଣରୁ ଭୂ-ସ୍ଖଳନ ସମ୍ପର୍କରେ ଗୋଟିଏ ଦିନ ପରେ ଖବର ଆସିଥିଲା। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସୋମବାର ପୁଣି ଥରେ ମୌସୁମୀ ବର୍ଷା ଆରମ୍ଭ ହେବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନଡିଆରଏଫର ୫୫ଜଣିଆ ଟିମ୍ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।