ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେବାସହ ଟାୟାର ଜାଳି ବିଜେପି କାର୍ଯ୍ୟକର୍ତ୍ତା ରାସ୍ତାରୋକ କରିଛନ୍ତି । ନବରଙ୍ଗପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନବରଙ୍ଗପୁର ନଗରପାଳଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରି ଅଧିକାରୀଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦାବିରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇ ପ୍ରଥମେ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା । ଧାରଣାସ୍ଥଳକୁ କୌଣସି ଅଧିକାରୀ ନ ଆସିବାରୁ ବିଜେପି କାର୍ଯ୍ୟକର୍ତ୍ତା ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ ।
ମିଳିଥିବା ରିପୋର୍ଟ ମୁତାବକ, ସହରର ଆରସିଡି ହାଇସ୍କୁଲ ପଡ଼ିଆରେ ହକି ବିଶ୍ୱକପର ଟ୍ରଫିକୁ ସ୍ୱାଗତ କାର୍ଯ୍ୟକ୍ରମ ସମୟରେ ନବରଙ୍ଗପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାଶ ମଞ୍ଚରେ ଉପସ୍ଥିତ ଥିବା ନବରଙ୍ଗପୁର ନଗରପାଳ କୁନୁ ନାୟକଙ୍କୁ ‘ହୁ ଆର ୟୁ’ ଏବଂ ତୁମେ ପ୍ରୋଟୋକଲ ଜାଣି ନଥିବା କହି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ତେଣୁ ସମ୍ପୃକ୍ତ ଅଧିକାରୀ ଜଣକ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ଅଫିସ କାର୍ଯ୍ୟ ଆରମ୍ଭଠାରୁ ଧାରଣାରତ ଥିଲେ । ଏହି ଧାରଣା ଯୋଗୁ ନବରଙ୍ଗପୁର, ଉମରକୋଟ ଓ କଳାହାଣ୍ଡିକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।