ଶ୍ରୀନଗର,ଏଜେନ୍ସି: ଉତ୍ତର କଶ୍ମୀରରେ ଅନେକ ଯାଗାରେ ପ୍ରବଳ ହିମସ୍ଖଳନ ଦେଖିବାକୁ ମିଳିଛି। ଏହି ସମୟରେ କୁପୱାଡ଼ା ଜିଲ୍ଲାର କରନାହ ସେକ୍ଟରର ନିୟନ୍ତ୍ରଣ ରେଖା ନିକଟ ଇଗଲ ପୋଷ୍ଟରେ ମଙ୍ଗଳବାର ବରଫ ଧଶିଯିବାରୁ ୮ଜଣ ଯବାନ ଚାପି ହୋଇଯାଇଥିଲେ। ତେବେ ସେମାନଙ୍କ ମଧ୍ୟରେ ୨ଟି ଜାଟ୍ ରେଜିମେଣ୍ଟର ୪ ଜଣ ଯବାନ ଫସିଯାଇଥିଲେ। ତୁରନ୍ତ ନିକଟରେ ଥିବା ଅନ୍ୟ ଶିବିରର ଯବାନମାନେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ। ଏହା ସହିତ ପ୍ରଶିକ୍ଷିତ ଯବାନ ଏବଂ ହେଲିକପ୍ଟର ସହାୟତାରେ ଯବାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ କରାଯାଇଥିଲା। ସନ୍ଧ୍ୟା ପର୍ୟ୍ୟନ୍ତ ସର୍ଚ୍ଚ ଅପରେଶନ ଚାଲିଥିବାବେଳେ ଜଣେ ଯବାନଙ୍କ ମୃତଦେହ ମିଳିଥିଲାବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଆଉ ୨ ଯବାନଙ୍କ ସନ୍ଧାନ ମିଳି ନ ଥିଲା।
ସେହିପରି ବାନ୍ଦିପୋରା ଜିଲାର ଗୁରେଜ ସେକ୍ଟରର ବଖତୁର ଅଞ୍ଚଳରେ ବରଫ ଝଡ଼ ଯୋଗୁ ୪ ଯବାନ ଗଭୀର ଖାଲ ଭିତରେ ଖସିପଡ଼ିଥିଲେ। ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରିଥିଲେ। ଅନ୍ୟ ଜଣେ ଯବାନ ନିଖୋଜ ରହିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ୟ୍ୟ ଚାଲିଥିବା ସେନା ପକ୍ଷରୁ କୁହାଯାଇଛି।