ଆଇସିସି ମହିଳା ଟି-୨୦ ବିଶ୍ୱକପ୍ : ଟ୍ରଫି ଉନ୍ମୋଚନ କଲେ କରିନା କପୁର

ନୂଆଦିଲ୍ଲୀ,ଏଜେନ୍ସି : ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ଟ୍ରଫିକୁ ଶୁକ୍ରବାର ବଲିଉଡ୍ ଅଭିନେତ୍ରୀ କରିନା କପୁର ଉନ୍ମୋଚନ କରିଛନ୍ତି। ଏନେଇ ଟି-୨୦ ୱାର୍ଲ୍ଡ କପ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚଟି ଅନ୍ତର୍ଜାତୀୟ ମହିଳା ଦିବସରେ ଆୟୋଜିତ ହେଉଥିବା ବେଳେ ସେତେବେଳେ କରିନା କପୁର ମଧ୍ୟ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ (ଏମସିଜି)ରେ ଉପସ୍ଥିତ ରହିବେ ବୋଲି ଏହି ଟ୍ୱିଟରେ କୁହାଯାଇଛି।

ଆସନ୍ତା ବର୍ଷ ଫେବ୍ରୁଆରୀ ୨୧ରୁ ଆଇସିସି ମହିଳା ବିଶ୍ୱକପ୍ ଆରମ୍ଭ ହେବ। ସ୍କଟଲାଣ୍ଡରେ ଅନୁଷ୍ଠିତ କ୍ୱାଲିଫାଇଂ ଇଭେଣ୍ଟରେ ବିଜୟୀ ହୋଇ ବାଂଲାଦେଶ ବିଶ୍ୱକପରେ ସ୍ଥାନ ପାଇଥିବା ବେଳେ ଏହା ଗ୍ରୁପ୍-ଏ’ରେ ରହିଛି। ଏହି ଗ୍ରୁପରେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ଅଷ୍ଟ୍ରେଲିଆ ସହ ଭାରତ, ନ୍ୟୁଜିଲାଣ୍ଡ୍ ଓ ଶ୍ରୀଲଙ୍କା ରହିଛନ୍ତି।

ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ତା’ର ପ୍ରଥମ ମ୍ୟାଚରେ ମୁକାବିଲା ଆୟୋଜକ ତଥା ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ଫେବ୍ରୁଆରୀ ୨୭ ତାରିଖରେ ଭେଟିବ। ବାଂଲାଦେଶ ବ୍ୟତୀତ ଥାଇଲାଣ୍ଡ୍ ମଧ୍ୟ ୧୨ ବର୍ଷ ପରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇଛି। ଏହି ଦଳ ଗ୍ରୁପ୍-ବି’ରେ ସ୍ଥାନ ପାଇଛି, ଯେଉଁଥିରେ ଇଂଲଣ୍ଡ, ସାଉଥ୍ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ରହିଛନ୍ତି। ଥାଇଲାଣ୍ଡ୍ ତା’ର ପ୍ରଥମ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ଫେବ୍ରୁଆରୀ ୨୨ ତାରିଖରେ ଭେଟିବ। ଉପରୋକ୍ତ ଦୁଇ ଦଳ ପୂର୍ବରୁ ୮ଟି ଦଳ ସେମାନଙ୍କ ର୍ୟାଙ୍କିଙ୍ଗ୍ ଅନୁସାରେ ସିଧାସଳଖ ବିଶ୍ୱକପ୍ ଖେଳିବା ସକାଶେ ଯୋଗ୍ୟତା ପାଇଥିଲେ। ଉଦଘାଟନୀ ମ୍ୟାଚରେ ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହ ହେବ।

ଫାଇନାଲ୍ ମ୍ୟାଚ୍ ଏମସିଜିଠାରେ ମାର୍ଚ୍ଚ ୮ ତାରିଖ ଅର୍ଥାତ୍ ଅନ୍ତର୍ଜାତୀୟ ମହିଳା ଦିବସରେ ଖେଳାଯିବ। ବର୍ଷର ଶେଷ ଭାଗରେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ପୁରୁଷ ଟି-୨୦ ବିଶ୍ୱକପ୍ ଖେଳାଯିବ। ଏଥିରେ ଆୟୋଜକ ଅଷ୍ଟ୍ରେଲିଆ ତା’ର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୪ ତାରିଖରେ ଖେଳିବ। ସେହିପରି ଭାରତ ଉକ୍ତ ଦିନ ତା’ର ପ୍ରଥମ ମ୍ୟାଚ୍ ଖେଳିବ, ଯେଉଁଥିରେ ଦଳର ମୁକାବିଲା ସାଉଥ୍ ଆଫ୍ରିକା ସହ ହେବ।