ଆଇସିସି ଟେଷ୍ଟ ରାଙ୍କିଙ୍ଗ: କେନ୍ ୱିଲିୟମସନଙ୍କୁ ପଛରେ ପକାଇ ଟପରେ ସ୍ମିଥ, ବିରାଟ କୋହଲି ୪ର୍ଥ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ପକ୍ଷରୁ ଟେଷ୍ଟ ରାଙ୍କିଙ୍ଗ ଜାରି କରାଯାଇଛି। ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରାଙ୍କରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ (୮୯୧ ନମ୍ବର) ସହିତ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସେହିପରି ଭାରତର ଅଧିନାୟକ ବିରାଟ କୋହଲି (୮୧୪ ନମ୍ବର) ସହିତ ୪ର୍ଥ ସ୍ଥାନରେ ପହଞ୍ଚିଛନ୍ତି। ଏହା ପୂର୍ବର ଟେଷ୍ଟ ରାଙ୍କିଙ୍ଗ ଟପରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ୍ ଥିଲେ। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୱିଲିୟମସନ ନ ଖେଳିବାରୁ (୮୮୬ ନମ୍ବର) ସହିତ ସେ ଦ୍ୱିତୀୟ ସ୍ଥାନକୁ ଖସିଆସିଛନ୍ତି।

ସେହିପରି ରାଙ୍କିଙ୍ଗର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଭାରତରୁ କୋହଲିଙ୍କ ସହିତ ୱିକେଟ କିପର ଋଷଭ ପନ୍ତ (୭୪୭ ନମ୍ବର) ସହିତ ଷଷ୍ଠ ସ୍ଥାନରେ ଓ ରୋହିତ ଶର୍ମା (୭୪୭ ନମ୍ବର ସହିତ) ସପ୍ତମ ସ୍ଥାନରେ ରହିଛନ୍ତି। ସେହିପରି ଅଷ୍ଟ୍ରେଲିଆର ମାରନସ ଲାବୁସଗେନ୍ (୮୭୮ ନମ୍ବର) ସହିତ ତୃତୀୟ, ଇଂଲଣ୍ଡର ଜୋଇ ରୁଟ (୭୯୭ ନମ୍ବର) ସହିତ ପଞ୍ଚମ, ନ୍ୟୁଜିଲାଣ୍ଡର ହେନରି ନିକୋଲ୍ସ (୭୩୨ ନମ୍ବର) ସହିତ ଅଷ୍ଟମ, ଅଷ୍ଟ୍ରେଲିଆର ଡେଭିଡ ୱାରନର (୭୨୪ ନମ୍ବର) ସହିତ ନବମ ଓ ପାକିସ୍ତାନର ବାବଜର ଆଜାମ (୭୧୪ ନମ୍ବର) ସହିତ ଦଶମ ସ୍ଥାନରେ ରହିଛନ୍ତି।

ଟେଷ୍ଟ ବୋଲିଂ ରାଙ୍କିଙ୍ଗ ଲିଷ୍ଟରେ ଅଷ୍ଟ୍ରେଲିଆର ବୋଲର ପ୍ୟାଟ କମିନସ (୯୦୮ ନମ୍ବର) ସହିତ ପ୍ରଥମ ସ୍ଥାନରେ ଥିବା ବେଳେ ଭାରତର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ (୮୫୦ ନମ୍ବର) ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏଥିସହିତ ବୋଲର ରାଙ୍କିଙ୍ଗର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଭାରତର ଜଣେ ହିଁ ଖେଳାଳି ରହିଛନ୍ତି। ଅଲରାଉଣ୍ଡର ରାଙ୍କିଙ୍ଗରେ ୱେଷ୍ଟଇଣ୍ଡିଜର ଜେସନ ହୋଲଡର (୪୧୨ ନମ୍ବର) ସହିତ ଶୀର୍ଷରେ ରହିଛନ୍ତି। ସେହିପରି ଭାରତର ରବିନ୍ଦ୍ର ଜାଡେଜା (୩୮୬ ନମ୍ବର) ସହିତ ଦ୍ୱିତୀୟ ଓ ରବିଚନ୍ଦ୍ରନ ଅଶ୍ୱିନ (୩୫୩ ନମ୍ବର) ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି।