ଆବୁଧାବୀ,ଏଜେନ୍ସି: ଆଇସିସିର ପୁରୁଷ ଟି-୨୦ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ଦମ୍ଭ ଦେଖାଇଛି। ଇଂଲଣ୍ଡ ଠାରୁ ବିଜୟ ଛଡ଼ାଇ ଆଣି ଫାଇନାଲରେ ପହଞ୍ଚିଛି। କେନ୍ ୱିଲିୟମସନ୍ଙ୍କ ଟିମ୍ ଆବୁଧାବୀର ଶେଖ୍ ଜାୟେଦ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ୫ ୱିକେଟ୍ରେ ବିଜୟୀ ହୋଇଛି।
ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୧୬୬ ରନ୍ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୧୯ ଓଭରରେ ୫ଟି ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ପୂରା କରିବା ସହିତ ଫାଇନାଲ୍ରେ ପ୍ରବେଶ କରିଛି। ସୂଚନାଯୋଗ୍ୟ ଆଜି ଦୁବାଇରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ୨ୟ ସେମିଫାଇନାଲ ମ୍ୟାଚ ଖେଳାଯିବ। ଏହି ୨ଟି ମଧ୍ୟରୁ ବିଜୟୀ ହେବାକୁ ଥିବା ଟିମ୍ ନଭେମ୍ବର ୧୪ରେ ଫାଇନାଲ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଭେଟିବ।
ଇଂଲଣ୍ଡ ତରଫରୁ ନ୍ୟୁଜିଲାଣ୍ଡକୁ ୧୬୭ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। ଆରମ୍ଭରୁ ନ୍ୟୁଜିଲାଣ୍ଡର ଖେଳାଳିମାନେ ବହୁତ ସଂଘର୍ଷ କରିଥିଲେ। ଆଗଧାଡ଼ିର ଖେଳାଳିମାନେ ବିଫଳ ହେବା ପରେ ମଧ୍ୟ କ୍ରମର ଖେଳାଳିମାନଙ୍କ ଉପରେ ଚାପ ପଡ଼ିଥିଲା। ତେବେ ଶେଷ ୪ ଓଭରରେ ନ୍ୟୁଜିଲାଣ୍ଡକୁ ୫୭ ରନ୍ର ଆବଶ୍ୟକ ଥିଲା। କିନ୍ତୁ ୧୭ତମ ଓଭରରେ ଖେଳଳ ରୂପରେଖ ବଦଳାଇ ଦେଇଥିଲେ ନ୍ୟୁଜିଲାଣ୍ଡର ଖେଲାଳି ଜିମି ନିଶାମ୍। ସେ ଗୋଟିଏ ଓଭରରେ ୨୩ ରନ୍ ସଂଗ୍ରହ କରିଥିଲେ। ଫଳରେ ନ୍ୟୁଜିଲାଣ୍ଡକୁ ବାକି ରନ୍ ସହଜରେ ହାସଲ ହୋଇଯାଇଥିଲା।