ତ୍ରୁଟିବଶତଃ ବ୍ରହ୍ମୋସ କ୍ଷେପଣାସ୍ତ୍ର ଉତକ୍ଷେପଣ: ସରିଲା ବାୟୁସେନାର ତଦନ୍ତ, ଏକାଧିକ ଅଧିକାରୀ ଦୋଷୀ

ନୂଆଦିଲ୍ଲୀ,ଏଜେନ୍ସି: ତ୍ରୁଟିବଶତଃ ବ୍ରହ୍ମୋସ କ୍ଷେପଣାସ୍ତ୍ର ଉତକ୍ଷେପଣ ହୋଇ ପାକିସ୍ତାନ ଭୂଭାଗରେ ପଡିବା ଘଟଣାର ତଦନ୍ତ ଏକ ମାସ ମଧ୍ୟରେ ଶେଷ କରିଛି ଭାରତୀୟ ବାୟୁସେନା। କ୍ଷେପଣାସ୍ତ୍ରରେ ହଠାତ ଫାଏର ହେବା ନେଇ ମିସାଇଲ୍ ସ୍କ୍ବାର୍ଡନ ଦାୟିତ୍ବରେ ଥିବା ଏକାଧିକ ଅଧିକାରୀଙ୍କ ଦାୟିତ୍ବ ହୀନତା ପାଇଁ ସେମାନଙ୍କୁ ଅଘଟଣର ଦୋଷୀ ବୋଲି ଦର୍ଶାଇଛି ତଦନ୍ତକାରୀ କମିଟି। ବିଭାଗୀୟ ତଦନ୍ତ ଶେଷ ହୋଇଥିବା ବେଳେ ରିପୋର୍ଟ ଆଧାରରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବା ନେଇ ସୂଚନା ରହିଛି।

ପ୍ରାୟ ଏକ ମାସ ତଳେ (୯ ମାର୍ଚ୍ଚ) ଘଟିଥିବା ଏହି ଘଟଣା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ଭାରତ ଏହାକୁ ତ୍ରୁଟିବଶତଃ ବୋଲି ପାକିସ୍ତାନକୁ ଅବଗତ କରାଇଥିବା ବେଳେ ପାକିସ୍ତାନ କିନ୍ତୁ ଗମ୍ଭୀର ଉଦବେଗ ପ୍ରକାଶ କରିଥିଲା। ପରେ ଉଭୟ ରାଷ୍ଟ୍ର ନିଜଆଡୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଥିଲେ। ଏହି ମାମଲାରେ ଆସିଷ୍ଟାଣ୍ଟ ଏୟାର ଫୋର୍ସ ଅପରେସନ୍ସ ଏୟାର ଭାଇସ ମାର୍ଶଲ ଆର.କେ ସିହ୍ନାଙ୍କୁ ତଦନ୍ତକାରୀ କମିଟିର ମୁଖ୍ୟ ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିଲା।

ସଂସଦର ବଜେଟ୍ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିବା ବେଳେ ଏହା ତ୍ରୁଟିବଶତଃ ହୋଇଥିବା ଓ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଗୃହରେ ବିବୃତ୍ତି ରଖିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସ୍କ୍ବାର୍ଡନ ଦାୟିତ୍ବରେ ଥିବା ଅଧିକାରୀ ମଡେଲ ପ୍ରୋଟୋକଲ ସଠିକ ଅନୂପାଳନ କରି ନଥିବାରୁ ଏପରି ଏକ ଅଘଟଣ ଘଟିଥିବା କୋର୍ଟ ଅଫ ଇନକ୍ବାରୀରେ ସ୍ପଷ୍ଟ ହେବା ପରେ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି।