ଧାରା ୩୭୦ ନଫେରିବା ଯାଏଁ ବିଧାନସଭା ନିର୍ବାଚନ ଲଢିବିନି: ମେହବୁବା ମୁଫତି

ଶ୍ରୀନଗର,ଏଜେନ୍ସି: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ବିଧାନସଭା ନିର୍ବାଚନ ଲଢିବେ ନାହିଁ । ଯେ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରରେ ଧାରା ୩୭୦ ପୁନଃ ଲାଗୁ ନହୋଇଛି ସେ ପର୍ଯ୍ୟନ୍ତ ସେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ । ପିପୁଲ୍ସ ଡେମୋକ୍ରାଟିକ ପାର୍ଟ ସୁପ୍ରିମୋ ମୁଫତି ଗତକାଲି ଏକ ସାକ୍ଷାତକାରରେ ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି, ନିର୍ବାଚନ ନଲଢିବା ନେଇ ନିଷ୍ପତ୍ତି ମୁର୍ଖାମି ହୋଇପାରେ, ହେଲେ ଏହା ତାଙ୍କ ପାଇଁ ଭାବନାତ୍ମକ ବିଷୟ ।

ପ୍ରକାଶଥାଉ କି, ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିଥିଲେ । ଏହାସହିତ ଜମ୍ମୁ-କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଓ ଲଦାଖରେ ବିଭକ୍ତ କରିଥିଲେ । ମେହବୁବା ମୁଫତି କହିଛନ୍ତି, ପୁଣିଥରେ ଏଠାରେ ଧାରା ୩୭୦ ନଲାଗୁ ହେବା ପର୍ଯ୍ୟନ୍ତ ସେ କଦାପି ବିଧାନସଭା ନିର୍ବାଚନ ଲଢିବେ ନାହିଁ । ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ମୁଁ ବିଧାନସଭା ସଦସ୍ୟ ରୂପେ ଶପଥ ଗ୍ରହଣ କଲି ସେତେବେଳେ ରାଜ୍ୟରେ ଦୁଇଟି ସମ୍ବିଧାନ ଥିଲା, ଗୋଟିଏ ହେଉଛି ଜମ୍ମୁ କାଶ୍ମୀରର ସମ୍ବିଧାନ ଅନ୍ୟଟି ଭାରତର ସମ୍ବିଧାନ । ହୁଏତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ମୋର ମୁର୍ଖତାପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ କିନ୍ତୁ ଏହା ମୋ ଲାଗି ଏକ ଭାବନାତ୍ମକ ବିଷୟ ।

ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ନହେବା ସମ୍ପର୍କିତ ପ୍ରଶ୍ନରେ ମୁଫତି କହିଛନ୍ତି, କେନ୍ଦ୍ର ସରକାର ଡରୁଛନ୍ତି କାରଣ ଯଦି ଏଠାରେ ନିର୍ବାଚିତ ସରକାର ଗଠନ ହୁଏ ତେବେ ସେମାନେ ନିଜର ଏଜେଣ୍ଡା ଚଲାଇ ପାରିବେ ନାହିଁ । ସେ କାହିଁକି ଡରୁଛନ୍ତି ମୁଁ ଜାଣିନି । କେନ୍ଦ୍ର ସରକାର ପ୍ରତି ସପ୍ତାହରେ ନୂଆ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯାହା ଜମ୍ମୁ କାଶ୍ମୀର ଲୋକଙ୍କୁ ଅଧିକ ଦୁର୍ବଳ କରୁଛି । ସେମାନେ ଏଠିକାର ଲୋକଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ତେଣୁ ବିଧାନସଭା ଚାହୁଁନାହାନ୍ତି । ତେବେ ପାର୍ଲାମେଣ୍ଟ ନିର୍ବାଚନ ଲଢିବା ନେଇ ସେ ନିଶ୍ଚିତ ନାହାନ୍ତି ବୋଲି ପିଡିପି ମୁଖ୍ୟ କହିଛନ୍ତି । ସେହିପରି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ପ୍ରସଙ୍ଗରେ ମୁଫତି କହିଛନ୍ତି, ଏହା ବାସ୍ତବରେ ଘଟୁଛି ନା ଭାରତୀୟ ଜନତା ପାର୍ଟି ଏହିଭଳି ସ୍ଥିତି ସୃଷ୍ଟି କରୁଛି ସେ ଜାଣିନାହାନ୍ତି ।