ଆଇପିଏସ ହେବାପାଇଁ ଇଚ୍ଛା ଥିଲା: ସମୀର

ବାରିପଦା,ଏନ୍ଏନ୍ଏସ୍: ଆଜି ପ୍ରକାଶ ପାଇଛି  ୟୁପିଏସସି ପରୀକ୍ଷା ଫଳ। ଏଥିରେ ମୟୁରଭଞ୍ଜ ଜିଲ୍ଲାର ସମୀର କୁମାର ଜେନା ୪୪୧ରାଙ୍କରେ ରହି ଜିଲ୍ଲାପାଇଁ ଗୌରବ ଆଣିଛନ୍ତି। ସମୀର ମୟୂରଭଞ୍ଜ ଜିଲ୍ଲା ଉଦଳା ହାଇସ୍କୁଲରୁ ୨୦୦୭ରେ ଦଶମ ପାସ କରି ସମଗ୍ର ଓଡ଼ିଶାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ୨୦୧୫ରେ ଇଣ୍ଡିଆନ ଇଞ୍ଜିନିୟରିଂ ସର୍ଭିସ ଓ ୨୦୧୭ରେ ଭାରତୀୟ ରାଜସ୍ୱ ସେବାଭଳି ବେଶ ଗୁରୁତ୍ୱପୂର୍ଣ୍ଣ ସଫଳତା ଅର୍ଜନ କରିଥିଲେ। ତାଙ୍କ ସଫଳତା ବିଷୟରେ ପଚାରିବାରୁ କହିଛନ୍ତି ଯେ, ‘ଆଇପିଏସ ହେବାପାଇଁ ସବୁବେଳେ ଆଗ୍ରହ ରଖି ଆସିଥିଲି। ତେଣୁ ୨୦୧୫ରେ ସର୍ବଭାରତୀୟସ୍ତରରେ ୩୬ତମ ସ୍ଥାନରଖି ଆଇଇଏସ ପାଇବା ପରେ ମଧ୍ୟ ୟୁପିଏସସି ପରୀକ୍ଷା ଦେଇଥିଲି। ୨୦୧୭ରେ ସର୍ବଭାରତୀୟସ୍ତରରେ ଆଇଇଏସ ଓ ଆଇଆରଏସ କ୍ରାକ୍ କଲାପରେ ମଧ୍ୟ ଆଇପିଏସ ହେବାର ଆଶା ଛାଡ଼ି ନ ଥିଲି’। ପ୍ରଥମେ ଲୋକମାନଙ୍କ ମଧ୍ୟରେ ପୁଲିସ ପ୍ରତି ରହିଆସୁଥିବା ଭୟକୁ ଦୂର କରାଇବା ପାଇଁ କାର୍ଯ୍ୟ କରିବି ବୋଲି ସେ କହିଥିଲେ।
ସୂଚନା ଯୋଗ୍ୟ, ସମୀରଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସିର ୱାର୍ଡ ନମ୍ବର ୧୧ ଜଗନ୍ନାଥବନ୍ଧ ଅଞ୍ଚଳରେ। ତାଙ୍କ ବାପା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଆରଡ଼ବ୍ଲ୍ୟୁଏସଏସ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସମୀର ୨୦୦୭ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରି ବିଜେବି କଲେଜରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ରାଜ୍ୟରେ ଶ୍ରେଷ୍ଠ ୧୦ ମଧ୍ୟରୁ ୭ମ ସ୍ଥାନ ଅଧିକାର କରିଥିଲେ। ଏହାପରେ ଖଡ଼ଗପୁର ଆଇଆଇଟି ସିଭିଲରେ ଡିଗ୍ରୀ ହାସଲ କରିଥିଲେ। ୨୦୧୫ରେ ଇଣ୍ଡିଆନ ଇଞ୍ଜିନିୟରିଂ ସର୍ଭିସ ପାଇଁ ତାଲିମ ନେବାପରେ ୟୁପିଏସସି ପରୀକ୍ଷାରେ ଜାତୀୟସ୍ତରରେ ୪୮୪ତମ ରାଙ୍କ ରଖି ଭାରତୀୟ ରାଜସ୍ୱ ସେବାରେ ଯୋଗ ଦେଇଥିଲେ।