‘ମୁଁ ଦୋଷୀ ନୁହେଁ ତେଣୁ ଭୟ କରିବାର ପ୍ରଶ୍ନ ଉଠୁନାହିଁ’

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଶୁକ୍ରବାର  ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଛନ୍ତି। ୨୦୦୪ର ଏକ ଶବଦାହ ଘଟଣା ଓ ୨୦୧୧ର ଧାରଣା ପ୍ରସଙ୍ଗରେ ତାଙ୍କୁ ଭୁବନେଶ୍ୱର କୋର୍ଟ ପକ୍ଷରୁ ସମନ୍ କରାଯାଇଥିଲା। ଏସ୍‌ସି ଏସ୍‌ଟି ଆକ୍ଟ ବଳରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ଏହି ଦୁଇଟି ମୋକଦ୍ଦମା ନୀଳଗିରି ଏସଡିଜେଏମ୍ କୋର୍ଟ ଓ ବାଲେଶ୍ୱରର ଆଡିସନାଲ୍‌ ସେସନ୍‌ ଜଜ୍‌ କୋର୍ଟରେ ବିଚାରାଧୀନ ଥିଲା।

ଏବେ ଏହି ମୋକଦ୍ଦମା ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି। ଶୁକ୍ରବାର କେବଳ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଥିଲା। ତେବେ ଏନେଇ ପରବର୍ତ୍ତୀ ବିଚାର ଆସନ୍ତା ୯ତାରିଖରେ ହେବ ବୋଲି ସୂଚନା ମିଳିଛି। ଆସନ୍ତା ୯୯ ତାରିଖରେ ସମସ୍ତ ଅଭିଯୋଗକାରୀ ଓ ସାକ୍ଷୀମାନଙ୍କୁ ଉପସ୍ଥିତ ରହି ନିଜ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ବନ୍ଧରେ ପ୍ରତିକ୍ରିୟା ରଖି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ଏବେ ମାମଲା ବିଚାରାଧୀନ ରହିଛି। ତେଣୁ ଏନେଇ କୌଣସି ମନ୍ତବ୍ୟ ଦେବା ମୋ ପକ୍ଷରେ ସମ୍ଭବପର ନୁହେଁ। ମୋ ବିରୁଦ୍ଧରେ ହୋଇଥିବା ମାମଲା କପୋଳକଳ୍ପିତ। ଏଭଳି ଘଟଣା ଆଦୌ ଘଟିନାହିଁ। ମୁଁ ଦୋଷୀ ନୁହେଁ ତେଣୁ ଭୟ କରିବାର ପ୍ରଶ୍ନ ଉଠୁନାହିଁ। ଏହାବ୍ୟତୀତ ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ଭାବମୂର୍ତ୍ତି ତିଆରି କରିବାର  ପ୍ରଚେଷ୍ଟା କରେନାହିଁ କିମ୍ବା ଭାବମୂର୍ତ୍ତିରେ ଆଘାତ ଆସିଲେ ବିଚଳିତ ମଧ୍ୟ ହୁଏ ନାହିଁ। ସତ୍ୟର ବିଜୟ ହେବ କେବଳ ସମୟକୁ ଅପେକ୍ଷା।