ବାମ୍ବୋଲିମ,ଏଜେନ୍ସି: ହାଇଦ୍ରାବାଦ ଏଫ୍ସି ଦଳ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍)ରେ ନୂଆ ଇତିହାସ ରଚିଛି। ଗତଥରର ଫାଇନାଲିଷ୍ଟ ଏଟିକି ମୋହନବାଗାନ ଦଳ ବିପକ୍ଷ ସେମିଫାଇନାଲ୍ ମୁକାବିଲାରେ ଗୋଲ୍ ହାରରେ ଆଗୁଆ ରହି ହାଇଦ୍ରାବାଦ ଫାଇନାଲ୍ରେ ସ୍ଥାନ ପକ୍କା କରିଛି। ଫଳରେ ଆଇଏସ୍ଏଲ୍ରେ ପ୍ରଥମ ଥର ଫାଇନାଲ୍ ଖେଳିବାର ଇତିହାସ ରଚିଛି ଏହି ଦଳ।
ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଦୁଇ ଚରଣ ବିଶିଷ୍ଟ ସେମିଫାଇନାଲ୍ରେ ହାଇଦ୍ରାବାଦ ଦ୍ବିତୀୟ ପର୍ଯ୍ୟାୟରେ ୦-୧ ଗୋଲ୍ରେ ହାରିଯାଇଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟ ଫଳାଫଳ ଭିତ୍ତିରେ ମୋଟ ଉପରେ ୩-୨ ଗୋଲ୍ରେ ବିଜୟୀ ହୋଇଥିଲା। ହାଇଦ୍ରାବାଦ ଦଳ ପ୍ରଥମ ପର୍ଯ୍ୟାୟ ସେମିଫାଇନାଲ୍ରେ ଏଟିକେ ମୋହନବାଗାନ ଦଳକୁ ୩-୧ ଗୋଲ୍ରେ ପରାସ୍ତ କରିଥିଲା।
ପ୍ରଥମ ଥର ଫାଇନାଲ୍ ଖେଳିବାକୁ ଯୋଗ୍ୟତା ହାସଲ କରିଥିବା ହାଇଦ୍ରାବାଦ ଆସନ୍ତା ରବିବାର ମାର୍ଗାଓସ୍ଥିତ ପିଜେଏନ୍ ଷ୍ଟାଡିୟମ୍ରେ କେରଳ ବ୍ଲାଷ୍ଟର୍ସ ସହ ମୁହାଁମୁହିଁ ହେବ।