ହାଇଦର ସହଯୋଗୀର ଆତ୍ମ ସମର୍ପଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ାର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ‌ଷ୍ଟର୍ ସେକ୍ ହାଇଦର୍ ଏସସିବି ମେଡ଼ିକାଲ‌ରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଯିବା ଘଟଣାରେ ଆଜି ତାର ଜଣେ ସହଯୋଗୀ ଆତ୍ମ ସମର୍ପଣ କରିଛି। ହାଇଦର ସହଯୋଗୀ ସଲୁ ଓରଫ ଛଦ୍ମନାମ ୟାକୁବ ଖାନ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିବା ସହିତ ତାକୁ ଧରିବାରେ ସହଯୋଗ କରିବ ବୋଲି କହିଛି। ଏସସିବିରେ ହାଇଦରକୁ ବିରିୟାନୀ ଦେଇଥିଲା ୟାକୁବ। ଏହି ଘଟଣାରେ ମଧ୍ୟ ୬ଜଣ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି।

ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ ନିଲମ୍ବିତ ହେବା ସହ ୫ କନେଷ୍ଟବଳ (ବୁଲବୁଲ୍ ସାହୁ, ଦୀପକ ସାହୁ ,ମହମ୍ମଦ ମୌସିମ୍‌, ଉମାକାନ୍ତ ବେହେରା ଓ ସୁଧାଂଶୁ ମାଝୀ) ନିଲମ୍ବିତ ହୋଇଛନ୍ତି। ତଦନ୍ତ ପରେ ଯଦି ଜେଲ୍ କତ୍ତୁପକ୍ଷଙ୍କ କିଛି ତୃଟି ଥାଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜେଲ୍ ଡ଼ିଆଇଜି ଶୁଭକାନ୍ତ ମିଶ୍ର।