ଗୁଣି ଗାରିଡି ସନ୍ଦେହରେ ଦମ୍ପତିଙ୍କୁ ନିର୍ମମ ହତ୍ୟା : ଲରମ୍ଭା ଥାନାରେ ୪ ଅଟକ

ପାଟଣାଗଡ,ଏନ୍ଏନ୍ଏସ୍ : ବର୍ତମାନ ସମୟରେ ବିଜ୍ଞାନର ଅଗ୍ରଗତି ହୋଇଥିବାବେଳେ ଅନ୍ଧବିଶ୍ୱାସ, କୁସଂସ୍କାର ଦୂର ହୋଇଥିବା ନେଇ ସରକାରୀ ସ୍ତରରେ ଚାଲିଛି ପ୍ରଚାର। ଡାହାଣି ନିର୍ଯ୍ୟାତନା ନିରୋଧ ଆଇନ ଭଳି ଆଇନ ମଧ୍ୟ କାର୍ଯ୍ୟକାରୀ ହେଉଛି । ହେଲେ ଏବେବି ଅନ୍ଦବିଶ୍ୱାସ ଯୋଗୁଁ ଗ୍ରାମାଂଚଳରେ ଘଟୁଛି ଅନେକ ଅଘଟଣ । ଅକାଳରେ ଚାଲିଯାଉଛି ନିରିହ ଜୀବନ । ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲରମ୍ଭା ଥାନା ଲୁହାସିଂହା ପଂଚାୟତ ଚିଟିକାମାଲ ଗାଁରେ । ଏକ ଦମ୍ପତିଙ୍କୁ ସୋମବାର ସକାଳେ ଡାହାଣି ସନ୍ଦେହରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାଯାଇଛି । ଖବର ପାଇ ବଲାଙ୍ଗିର ଏସ.ପି ମଡକର ସନ୍ଦିପ ସମ୍ପଦ , ପାଟଣାଗଡ ଏସ.ଡି.ଡି.ଓ ସୁରେଶ ନାଏକ ପ୍ରମୁଖ ଚିଟିକାମାଲ ଗାଁରେ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ ଗାଁ ନିକଟ ପାହାଡରୁ ରକ୍ତାକ୍ତ ୨ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତକମାନେ ହେଲେ ଚିଟିକାମାଲ ଗାଁର ଚିନ୍ତାମଣି ବରିହା ଓ ତାଙ୍କ ସ୍ତ୍ରୀ ରୁକ୍ମିଣି ବରିହା ବୋଲି ଜଣା ଯାଇଛି।

ଗତ ଶୁକ୍ରବାର ଦିନ ତାଙ୍କୁ ଗାଁର କିଛି ଲୋକ ଡାହାଣି କହୁଥିବା ନେଇ ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଥିବାବେଳେ ଗାଁ ଲୋକଙ୍କୁ ଡକାଇ ପୋଲିସ ମିଲାମିଶା ପାଇଁ ମଧ୍ୟ ଉଦ୍ୟମ କରିଥିବା ଜଣାଯାଇଛି । ହେଲେ ଅନ୍ଧବିଶ୍ୱାସ ନିକଟରେ ହାର ମାନିଛି ଆଇନ ।

ସୂଚନା ୍ରନୁଯାୟୀ, ଗତ ଶୁକ୍ରବାର ଗାଁର ଜୈନେକ ବ୍ୟକ୍ତିଙ୍କ ମୃତ ଦେଢ ବର୍ଷର ଶିଶୁ ପୁତ୍ର ର ମୃତ ଦେହ ପୋତାଯାଇଥିବା ସ୍ଥାନରେ ପୂଜା ପାଠ କରାଯାଇଥିବା ଦେଖାଯାଇଥିଲା । ଯାହାକୁ ନେଇ ଗୁଣି ଗାରିଡି କରି ଶିଶୁ ପୁତ୍ରକୁ ମରାଯାଇଥିବା ନେଇ ପରିବାର ତରଫରୁ ସନ୍ଦେହ ହେବା ସହ ଗାଁରେ ସଭା ହୋଇଥିଲା । ଏବେ ଘଟଣାର ୨ ଦିନ ପରେ ଗୁଣି ଗାରିଡି କରିଥିବା ସନ୍ଦେହ କରାଯାଇଥିବା ଦମ୍ପତିଙ୍କୁ ନିର୍ମମ ହତ୍ୟା ସହ ଗାଁ ପାଖ ପାହାଡରୁ ମୃତ ଦେହ ମିଳିବା ଘଟଣା ଅଂଚଳରେ ଚାଂଚଲ୍ୟ ଖେଲାଇଦେଇଛି । ପାରିପାଶ୍ୱର୍ିକ ସ୍ଥିତି ଅନୁସାରେ ଦମ୍ପତିଙ୍କୁ ଗାଁ ରେ ହତ୍ୟା କରି ମୃତ ଦେହକୁ ପାହାଡରେ ଅଖାରେ ବାନ୍ଧି ଲୁଚାଯାଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ସନ୍ଧାନୀ କୁକୁର ସହ ସାଇନଟିଫିକ ଦଳ ପହଂଚି ରକ୍ତ ଛିଟା ସଂଗ୍ରହ ସହ ଅନୁସନ୍ଧାନ ଜାରି ରଖିବା ବେଳେ ଶବ ବ୍ୟବଛେଦ ପାଇଁ ପାଟଣାଗଡ ପଠାଯାଇଥିଲା । ଘଟଣା ସ୍ଥଳରେ ଅନ୍ୟ ମାନଙ୍କ ମଧ୍ୟରେ ମାଜିଷ୍ଟେଟ ଦାୟିତ୍ୱରେ ଖପ୍ରାଖୋଲ ଅତିରିକ୍ତ ତହସିଲଦାର ଜୟନ୍ତ ସାହୁ, ପାଟଣାଗଡ ଆଇଆଇସି କେ ପ୍ରିୟଙ୍କା ରାଉତରାୟ , ଲରମ୍ଭା ଆଇ.ଆଇ.ସି ବିନୋଦ ବିହାରୀ ନାଏକ ସମେତ ବ୍ୟାପକ ପୋଲିସ ଉପସ୍ଥିତ ଥିଲେ ।

ଏ ନେଇ ବଲାଙ୍ଗିର ଏସ.ପି ଏସ.ସନ୍ଦିପ ସମ୍ପଦଙ୍କୁ ପଚାରିବାରୁ ଗୁଣି ଗାରିଡି ସନ୍ଦେହରେ ଏହି ଘଟଣା ଘଟିଥାଇପାରେ । ଘଟଣାରେ ସମ୍ପୃକ୍ତ ସନ୍ଦେହରେ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରହିଥିବାବେଳେ ପାଟଣାଗଡ ଏସ.ଡି.ପି.ଓ ଙ୍କ ନେତୃତ୍ୱରେ ଏକ ସ୍କ୍ୱାର୍ଡ ଗଠନ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି ।
ହତ୍ୟାକାଣ୍ଡ ପରେ ଶବ ଦୁଇଟିକୁ ବସ୍ତାରେ ବାନ୍ଧି ଲୋକେ ନିକଟସ୍ଥ ପାହାଡରେ ପିଙ୍ଗି ଦେଇଥିଲେ । ପୁଲିସ ଭୟରେ ଗାଁ ମଧ୍ୟ ପୁରୁଷ ଶୂନ୍ୟ ହୋଇଯଇଥିଲା ।