ଓଏଚଆରସି ଓ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ସ୍ମିତାରଣୀଙ୍କ ସ୍ୱାମୀ, ମୃତ୍ୟୁ ମାମଲାର ପୁନଃ ତଦନ୍ତ କରିବାକୁ ଅନୁରୋଧ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ୱାଳର ମୃତ୍ୟୁ ଏବେବି ସସପେନ୍ସ ଜାରି ରହିଛି। ପୁଲିସର ତଦନ୍ତ ଯେତିକି ଆଗେଉଛି, ସେତିକି ଦିନକୁ ଅଧିକ ରହସ୍ୟ ଘେରକୁ ଚାଲିଯାଉଛି। ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ତାଙ୍କର ସ୍ୱାମୀ ଓଡିଶା ମାନବାଧୀକାର କମିଶନ (ଓଏଚଆରସି)ଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଓଏଚଆସିଙ୍କୁ ଭେଟିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ସ୍ମିତାରଣୀଙ୍କୁ ବେଆଇନ୍ କାମ ପାଇଁ ବାଧ୍ୟ କରାଯାଉଥିଲା।

ଉଭୟ ସରପଞ୍ଚ ଓ ତାଙ୍କ ସ୍ୱାମୀ ବେଆଇନ୍ କାମ କରାଇବା ପାଇଁ ସ୍ମିତାରାଣୀଙ୍କୁ ବାଧ୍ୟ କରୁଥିଲେ। ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ଅନିୟମିତତା କରିବା ପାଇଁ ଚାପ ପକାଯାଉଥିଲା। ଏଥିପାଇଁ ସେ ମାନସିକ ଚାପରେ ରହୁଥିଲେ। ତେଣୁ ଏନେଇ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସ୍ମିତାରଣୀଙ୍କ ସ୍ୱାମୀ କହିଛନ୍ତି।

ଏହାସହ ସେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ମାମଲାର ପୁନଃ ତଦନ୍ତ ପାଇଁ ସେ କମିଶନଙ୍କ ନିକଟରେ ଅନୁରୋଧ କରିଛନ୍ତି। ଅପରପକ୍ଷେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ପିଇଓ କର୍ମଚାରୀମାନେ କଲମଛାଡ ଆନ୍ଦୋଳନ କରିବା ସହ ଧାରଣାରେ ବସିଛନ୍ତି।