ସ୍ୱାମୀର ଉନ୍ମୁକ୍ତ କାଣ୍ଡ: ସ୍ତ୍ରୀ ଓ ୫ବର୍ଷର ଶିଶୁ ପୁତ୍ରକୁ କଲା ହତ୍ୟା

ଜୟପୁର,ଏନ୍ଏନ୍ଏସ୍: ସ୍ତ୍ରୀ ଏବଂ ୫ବର୍ଷର ଶିଶୁ ପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସଇତାନ ସ୍ୱାମୀ। ଏଭଳି ଏକ ହୃଦୟବିଦାରକ ଘଟଣା ବିସିଂହପୁର ଥାନା ଅନ୍ତର୍ଗତ ହରଡ଼ାଗୁଡ଼ା ଗ୍ରାମରେ ଘଟିଛି। ଗ୍ରାମବାସୀ ହତ୍ୟାକାରୀ ସ୍ୱାମୀଙ୍କୁ ବାନ୍ଧି ବିସିଂହପୁର ପୁଲିସ ଜିମାରେ ଦେଇଛନ୍ତି । ମିଳିଥିବା ରିପୋର୍ଟ ମୁତାବିକ, ଗତକାଲି ଗ୍ରାମର ଧୁବୁଲୁ ମୁଦୁଲି ଓ ତାଙ୍କ ସ୍ତ୍ରୀ ଡମୁଣି ମୁଦୁଲିଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ପରେ ସ୍ତ୍ରୀ ଡମୁଣି ନିଜ ୫ବର୍ଷର ପୁଅ ପବୁଲୁ ମୁଦୁଲିକୁ ଧରି ତାଙ୍କ ମା’ଙ୍କ ଘରକୁ ପଳେଇବାକୁ ବାହାରିଥିଲେ। ଧୁବୁଲୁ ଏହାକୁ ମନା କରିଥିଲା । ଡମୁଣି ନ ଶୁଣିବାରୁ ଶେଷରେ ନିଶାଗ୍ରସ୍ତ ଥିବା ଧୁବୁଲୁ ଉତକ୍ଷିପ୍ତ ହୋଇ ଘରେ ଥିବା ଟାଙ୍ଗିଆରେ ସ୍ତ୍ରୀ ଓ ଶିଶୁ ପୁତ୍ର ପବୁଲୁଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲା। ଘର ଭିତରେ ଗୋଟାଏ ପଟେ ମା’ର ଶବ ଅନ୍ୟପଟେ ପୁତ୍ରର ଶବ ଆଉ ମଝିରେ ରକ୍ତର ଝରଣା ବହୁଥିଲା। ସେପଟେ ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲିକୁ ବାନ୍ଧି ରଖିବା ସହ ବିସିଂହପୁର ପୁଲିସକୁ ଖବର ଦେଇଥିଲେ। ପୁଲିସ ହତ୍ୟାକାରୀ ସ୍ୱାମୀକୁ କାବୁ କରି ଥାନାକୁ ନେଇଛି। ବିସିଂହପୁର ଥାନାଧିକାରୀ ଦାମୋଦର ବିହାରୀଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି କେଉଁ କାରଣରୁ ୨ଜଣଙ୍କ ହତ୍ୟା ହୋଇଛି ସେନେଇ ତଦନ୍ତ ଜାରି ରହିଛି । ତଦନ୍ତ ପରେ ହିଁ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଥାନାଧିକାରୀ ଦାମୋଦର ବିହାରୀ କହିଛନ୍ତି ।