ପ୍ରେମିକ ସହ ବିବାହ କରିବାକୁ ଅନୁମତି ଦେଲେ ସ୍ୱାମୀ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଏକ ଦମ୍ପତି ଚାରିବର୍ଷ ଘର ସଂସାର କଲା ପରେ ତାଙ୍କର ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। କିନ୍ତୁ ବିବାହ ପୂର୍ବରୁ ସ୍ତ୍ରୀଙ୍କ ଅନ୍ୟଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ସ୍ୱାମୀ ଜାଣିଲା ପରେ ଏହି ଘଟଣାକୁ ସ୍ତ୍ରୀ ସ୍ୱିକାର କରିଥିଲେ। ହେଲେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଏ ସମ୍ବନ୍ଧରେ ଆଲୋଚନା କରା ଯାଇ ଶେଷରେ ସ୍ୱାମୀ ନିଜ ସ୍ତ୍ରୀକୁ ପ୍ରେମିକ ସହ ବିବାହ କରିବା ପାଇଁ ଅନୁମତି ଦେଇଛନ୍ତି। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ ପଦ୍ମଗିରି ପଂଚାୟତ ଏମ୍.ଭି-୮୪ ଗ୍ରାମରେ।

ଏମ୍.ଭି-୮୪ ଗ୍ରାମର ବିବେକ ବୈରାଗୀଙ୍କ ପୁତ୍ର ବିକାଶ ବୈରାଗୀ (୩୦) ଚଲାଣଗୁଡା ପଂଚାୟତ ଏମ୍.ଭି-୪୪ ଗ୍ରାମର ହରିଣ ସରକାରଙ୍କ କନ୍ୟା ଜ୍ୟୋସ୍ନା ସରକାର (୨୨)ଙ୍କୁ ଚାରିବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କର ଗୋଟିଏ କନ୍ୟା ସନ୍ତାନ ମଧ୍ୟ ଅଛି। କିନ୍ତୁ ଜ୍ୟୋସ୍ନା ବିବାହ ପୂର୍ବରୁ ତଣ୍ଡାପାଲ୍ଲୀ ପଂଚାୟତ ଏମ୍.ଭି- ୧୫ ଗ୍ରାମର ଠାକୁର ରାୟଙ୍କ ପୁତ୍ର ବିଜୟ ରାୟଙ୍କୁ ଭଲ ପାଉଥିଲେ। ଏହି ଚାରିବର୍ଷ ମଧ୍ୟରେ ଜ୍ୟୋସ୍ନା ସହ ବିଜୟଙ୍କ ଭଲ ପାଇବା ସମ୍ପର୍କ ଥିବା ଏବଂ ଫୋନରେ କଥା ହେଉଥିବା ସ୍ୱାମୀ ବିକାଶ ଜାଣିବାକୁ ପାଇଥିଲେ। ଅନେକ ସମୟରେ ଉଭୟ ପରିବାର ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଶେଷରେ ବିକାଶ ବୈରାଗୀ ସ୍ତ୍ରୀ ଜ୍ୟୋସ୍ନା ବୈରାଗୀ ଉଭୟ ଆଲୋଚନା କରି ଜ୍ୟୋସ୍ନାଙ୍କ ପୂର୍ବ ପ୍ରେମିକ ବିଜୟଙ୍କୁ ବିବାହ କରିବି ବୋଲି ଜ୍ୟୋସ୍ନା ପ୍ରକାଶ କରିଥିଲେ।

ଆଜି ଜ୍ୟୋସ୍ନାଙ୍କ ପିତା, ସ୍ୱାମୀ ଓ ଗ୍ରାମ ଲୋକ ମାଲକାନଗିରି ଥାନାକୁ ଆସି ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଭବିଷ୍ୟତରେ ଯଦି ଜ୍ୟୋସ୍ନାଙ୍କ କୌଣସି ଅସୁବିଧା ସୁବିଧା ହୁଏ କିମ୍ବା ତାଙ୍କର ମୃତ୍ୟୁ, ହଜିଯିବା ଭଳି କୌଣସି ଘଟଣା ଘଟିଲେ ସେଥିପାଇଁ ସ୍ୱାମୀ ବିକାଶ ଦାୟୀ ରହିବେ ନାହିଁ। ସେହିପରି ବିକାଶଙ୍କର ମଧ୍ୟ କୌଣସି ଅସୁବିଧା ହୁଏ ତେବେ ସେଥିପାଇଁ ଜ୍ୟୋସ୍ନା ଦାୟୀ ରହିବେ ନାହିଁ। ଏ ସମ୍ବନ୍ଧରେ ଉଭୟ ପକ୍ଷ ମାଲକାନଗିରି କୋର୍ଟରେ ଛାଡପତ୍ର ଆବେଦନ କରିବେ।

ତେବେ ମାଲକାନଗିରି ଥାନା ପୁଲିସ ଏହି ରିପୋର୍ଟ ପାଇଲା ପରେ ଏମ୍.ଭି- ୧୫ ଗ୍ରାମର ପୂର୍ବତନ ପ୍ରେମିକଙ୍କୁ ଥାନାକୁ ଡକାଇଛନ୍ତି। ଉକ୍ତ ପ୍ରେମିକ ଆସିଲା ପରେ ଜ୍ୟୋସ୍ନା ତାଙ୍କ ସହିତ ପଳାଇ ଯିବ ବୋଲି କହିଛି। ତେବେ ଏହି ରିପୋର୍ଟରେ ଆଶାଲତା ବୈଦ୍ୟ, ଲକ୍ମୀକାନ୍ତ ମଣ୍ଡଲ, ବାପି ମଣ୍ଡଳ, ବୃହସ୍ପତି ବୈରାଗୀ ସାକ୍ଷୀ ହୋଇଛନ୍ତି। ତେବେ କନ୍ୟା ସନ୍ତାନଟି କାହା ପାଖରେ ରହିବ ସେ ସମ୍ବନ୍ଧରେ ବର୍ତମାନ ସୁଦ୍ଧା ନିଷ୍ପତି ନିଆ ଯାଇନାହିଁ। ଆଜି କୋର୍ଟରେ ଛାଡପତ୍ର ଆବେଦନ କଲାପରେ ଜ୍ୟୋସ୍ନା ଓ ତାଙ୍କ ଝିଅଙ୍କୁ ଜ୍ୟୋସ୍ନାଙ୍କ ପିତା ନିଜ ଘରକୁ ନେଇ ଯାଇଛନ୍ତି।