ମନରେଗା ଯୋଜନାରେ କାର୍ଯ୍ୟ କରି ପ୍ରାପ୍ୟ ନପାଇ ଆମରଣ ଅନସନରେ ବସିଲେ ହିତାଧିକାରୀ

ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଏମ୍‌ଏନ୍‌ଇଆର୍‌ଇଜିଏସ୍ ଯୋଜନାରେ କାର୍ଯ୍ୟ କରି ପ୍ରାପ୍ୟ ନପାଇବାରୁ ଶେଷରେ ଆମରଣ ଅନସନରେ ବସିଛନ୍ତି ହିତାଧିକାରୀ। ଏନେଇ ହିତାଧିକାରୀ ବାରମ୍ବାର ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରି କେହି ନ ଶୁଣିବା ପରେ ଏବେ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗାନ୍ଧୀଙ୍କ ଫଟୋ ରଖି ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ।

ସୂଚନାଯୋଗ୍ୟ, ଉକ୍ତ ଯୋଜନାରେ ଗାଈ ଗୁହାଳ ଗୃହ ନିର୍ମାଣ ସହ ଚାଷ ପାଇଁ କୂପ ଖନନ କାର୍ଯ୍ୟ କରାଯାଇଥିଲା। ଏଥିଲାଗି ଏହି ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କୁ କେବଳ ଶ୍ରମିକଙ୍କ ମଜୁରୀ ବାବଦକୁ ପ୍ରାପ୍ୟ ଦିଆଯାଇଥିବା ବେଳେ ସିମେଣ୍ଟ କଂକ୍ରିଟ୍ ପାଇଁ ପଥର, ମେଟାଲ, ବାଲି, ସିମେଣ୍ଟ, ଲୁହାଛଡ଼ ବାବଦକୁ ଖର୍ଚ୍ଚର ପ୍ରାପ୍ୟ ଏପର୍ଯ୍ୟନ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯାଇ ନାହିଁ। ଫଳରେ ହିତାଧିକାରୀ ସାହୁକାରମାନଙ୍କ ଠାରୁ ବକେୟା ଆଣିଥିବା ପଦାର୍ଥର ଅର୍ଥ ଶୁଝି ନପାରି ଋଣଗ୍ରସ୍ତ ହୋଇଛନ୍ତି। ପ୍ରଶାସନ ତାଙ୍କ ଦାବି ୪ ତାରିଖ ମଧ୍ୟରେ ନ ଶୁଣିଲେ ଆମରଣ ଅନସନରେ ବସିବାକୁ ହିତାଧିକାରୀ ଚେତାବନୀ ଦେଇଥିଲେ।

ଏହି ଅନସନରେ ହିତାଧିକାରୀ ରଞ୍ଜନ ଦିଗାଳଙ୍କ ସମେତ ପରମେଶ୍ବର ପ୍ରଧାନ, ନଟବର ପ୍ରଧାନ, କେ.ଆମୋଦ ନାୟକ, ପ୍ରକାଶ ପ୍ରଧାନ, ମାଥୁ ମଲିକ, ସୁକାନ୍ତ ପ୍ରଧାନ, ଅମରେନ୍ଦ୍ର ପ୍ରଧାନଣ୍ଡୁ ଦିଗାଳ, ପୀତାମ୍ବର ମାଝୀ, ନାଦୁ କହଁର ପ୍ରମୁଖ ଧାରଣାରେ ବସିଛନ୍ତି। ପରମେ ପ୍ରଧାନ (ସରପଞ୍ଚ ପ୍ରତିନିଧି), ଅମରେନ୍ଦ୍ର ପ୍ରଧାନ, ନଟବର ପ୍ରଧାନ ଏହାର ନେତୃତ୍ୱ ନେଇଥିଲେ। ବିଡିଓ ଗଦାଧର ପାତ୍ର ଧାରଣା ସ୍ଥଳକୁ ଯାଇ ୧୫ ଦିନ ମଧ୍ୟରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଧାରଣାରେ ବସିଥିବା ହିତାଧିକାରୀ ଧାରଣା ପ୍ରତ୍ୟାହାର କରିଥିଲେ।