ଘରକୁ ଫେରିବା ଦାବି ନେଇ ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ପ୍ରବାସୀ

ବ୍ରହ୍ମପୁର,ଏନ୍ଏନ୍ଏସ୍: କରୋନା ଯୋଗୁଁ ଶତାଧିକ ପ୍ରବାସୀ ଫସି ରହିଥିବା ବେଳେ ସେମାନେ ଘରକୁ ଫେରିବା ପାଇଁ ଗାଡ଼ି ପାଉନାହାନ୍ତି। ଏ ନେଇ ତୁରନ୍ତ ସେମାନଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା ଦାବି କରି ୧୬ ନଂ ଜାତୀୟ ରାଜପଥ ଅବରୋଧ କରି ଧାରଣାରେ ବସିଛନ୍ତି ଶତାଧିକ ପ୍ରବାସୀ। ବ୍ରହ୍ମପୁର ଉପକଣ୍ଠ ହଲାଦିଅପଦର ବସଷ୍ଟାଣ୍ଡ ଠାରେ ଗୁରୁବାର ସକାଳୁ ଏହି ଦୃଶ୍ୟ ଦେଖିବାକୁ ମିଳିଛି।

ବିଭିନ୍ନ ରାଜ୍ୟରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଫେରୁଥିବା ପ୍ରବାସୀଙ୍କୁ ହଲାଦିଅପଦର ବସଷ୍ଟାଣ୍ଡ ଠାରେ ରଖାଯିବା ପରେ ବସ ଯୋଗେ ପର୍ଯ୍ୟାୟ କ୍ରମେ ନିଜ ଅଞ୍ଚଳକୁ ପଠାଯାଉଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡା ଭଳି ଜିଲ୍ଲାର ପ୍ରବାସୀ ଏଠାକୁ ଆସିଛନ୍ତି।

ସେଠାରେ ଦିନରାତି ପୁଲିସ ଓ ସରକାରୀ କର୍ମଚାରୀ ନିୟୋଜିତ ଅଛନ୍ତି। ତେବେ ଏହି ପ୍ରବାସୀଙ୍କୁ ଠିକ ଭାବେ ଖାଇବାକୁ ଦିଆ ଯାଉନଥିବା ଓ ନିଜ ଅଞ୍ଚଳକୁ ପଠାଇବାରେ ବିଳମ୍ବ କରାଯାଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଆଜି ଶତାଧିକ ପ୍ରବାସୀ ବସଷ୍ଟାଣ୍ଡ ରୁ ବାହାରି ଜାତୀୟ ରାଜପଥ କୁ ଆସି ଧାରଣା ଦେଇଛନ୍ତି। ଫଳରେ ରାଜପଥ ଉପରେ ବର୍ତ୍ତମାନ ବହୁ ଗାଡ଼ି ମଟର ଅଟକିବା ସହ ଆନ୍ଧ୍ରପ୍ରଦେଶ-ଭୁବନେଶ୍ୱର ଯାତାୟାତ ବନ୍ଦ ହୋଇଛି।