ସାମାଜିକ ବାଛନ୍ଦ ମହିଳାଙ୍କ ଶବ ସତ୍କାର କରି ମାନବିକତା ଦେଖାଇଲେ ଯୁନାଇଟେଡ଼ କ୍ଲବ ସଦସ୍ୟ

ଦେବଗଡ଼,ଏନ୍‌ଏନ୍‌ଏସ୍ : ବାରକୋଟ ବ୍ଲକ ଅନ୍ତର୍ଗତ ଡଂରା ପଞ୍ଚାୟତର ଡଂରା ଗ୍ରାମରେ ଜଣେ ସାମାଜିକ ବାଛନ୍ଦ ଶିକାର ଗରିବ ଆଦିବାସୀ ମହିଳାଙ୍କ ଶବ ସତ୍କାର କରି ସ୍ଥାନୀୟ ଯୁନାଇଟେଡ଼ କ୍ଲବ ସଦସ୍ୟ ମାନବିକତା ଦେଖାଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ଡଂରା ଗ୍ରାମର ବିଧବା ଆଦିବାସୀ ମହିଳା କ୍ଷୀରଦିନି ବିଶ୍ୱାଳଙ୍କ ଗତକାଲି ମୃତ୍ୟୁ ଘଟିଥିବାବେଳେ ବହୁ ସମୟ ଧରି ମୃତଦେହ ଘରେ ପଡ଼ି ରହିଥିଲା । ମୃତ ମହିଳାଙ୍କ ୨ଟି ପୁଅ ଥିଲେ ମଧ୍ୟ ଜଣେ ଅନ୍ୟ ଜାତିର ଝିଅକୁ ବିବାହ କରିଥିବାରୁ ସମାଜରୁ ବାଛନ୍ଦ ହୋଇଥିବାବେଳେ ଅନ୍ୟଜଣେ ମାନସିକ ବିକୃତ ଥିବା ଯୋଗୁ ମୃତଦେହ ସତ୍କାର କରିବାକୁ କେହି ଆସିନଥିଲେ । ସୂଚନା ପାଇ ସ୍ଥାନୀୟ ୟୁନାଇଟେଡ଼ କ୍ଲବ ସଦସ୍ୟ ସିକୁନ ପ୍ରଧାନ, ଖିରେନ୍ଦ୍ର ସାହୁ, ବୁଲୁ ସାହୁ ଓ ଜୟନ୍ତ ସାହୁ ପ୍ରମୁଖ ମୃତ ମହିଳାଙ୍କ ଶବକୁ ବ୍ରାହ୍ମଣୀ ନଦୀ କୂଳ ଶ୍ମଶାନରେ ପୋତି ଅନ୍ତିମ ସତ୍କାର କରିଥିଲେ । ଯୁନାଇଟେଡ଼ କ୍ଲବ ସଦସ୍ୟଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।