ମଣିଷ ଉପରେ କରୋନା ଭ୍ୟାକ୍ସିନର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: କରୋନାର ଗତିପଥକୁ ରୋକିବା ପାଇଁ ସମସ୍ତେ ଏବେ ଭ୍ୟାକ୍ସିନକୁ ଅପେକ୍ଷା କରିଛନ୍ତି। ଏଭଳି ସ୍ଥିତିରେ ଆମେରିକା ପ୍ରସ୍ତୁତ କରିଥିବା ଏକ ଭ୍ୟାକ୍ସିନ ପରୀକ୍ଷଣର ଫଳାଫଳ ପଜିଟିଭ ଆସିଛି। ଔଷଧ କମ୍ପାନୀ ମାଡୋର୍ନା ମୁତାବକ, ଟ୍ରାଏଲ ସମୟରେ ୮ଜଣ ବ୍ୟକ୍ତିଙ୍କ ଉପରେ ଏହି ଭ୍ୟାକ୍ସିନ ପ୍ରୟୋଗ କରାଯାଇଥିଲା ଯାହାର ଫଳାଫଳ ସକାରାତ୍ମକ ଆସିଛି।

ନ୍ୟୁୟର୍କ ଟାଇମ୍ସ ମୁତାବକ, ଆମେରିକାର ଏହା ପ୍ରଥମ କରୋନା ଭ୍ୟାକ୍ସିନ ଯାହାକି ମଣିଷ ଉପରେ ଟ୍ରାଏଲ କରାଯାଇଥିଲା। ମାର୍ଚ୍ଚ ମାସରେ ୮ଜଣଙ୍କୁ ଏହାର ୨ଟି ଡୋଜ୍ ଦିଆଯାଇଥିଲା। ପରୀକ୍ଷା ପରେ ଭ୍ୟାକ୍ସିନଟି ସୁରକ୍ଷିତ ଜଣାପଡ଼ିବା ସହ ଭାଇରସ ବିରୋଧରେ ଇମ୍ୟୁନ୍ ରେସ୍ପନ୍ସ ଜନ୍ମାଉଥିବା ନଜର ଆସିଛି। ମାଡୋର୍ନା ଔଷଧ କମ୍ପାନୀ ଟ୍ରାଏଲ ସମୟରେ କେବଳ ସ୍ୱାସ୍ଥ୍ୟ ଭଲ୍ୟୁଣ୍ଟରଙ୍କ ଉପରେ ଏହି ପ୍ରୟୋଗ କରିଥିଲା। ଏମାନଙ୍କ ଶରୀରରୁ ଯେଉଁ ଆଣ୍ଟି ବଡ଼ି ମିଳିଲା ତାହାକୁ ଲ୍ୟାବରେ ମଣିଷର ସେଲ୍ସ ଉପରେ ପରୀକ୍ଷଣ କରାଯାଇଥିଲା। ଏହି ସମୟରେ ଭାଇରସ ସଂକ୍ରମଣକୁ ଆଣ୍ଟିବଡ଼ି ରୋକୁଥିବା ଦେଖିବାକୁ ମିଳିଲା। ଭ୍ୟାକ୍ସିନ ଦିଆଯିବା ପରେ ସେମାନଙ୍କ ଶରୀରରେ ସେତିକି ହିଁ ଆଣ୍ଟିବଡ଼ି ମିଳିଲା ଯେତିକି କରୋନାରେ ସୁସ୍ଥ ହେଉଥିବା ରୋଗୀଙ୍କଠାରେ ମିଳୁଛି। କିନ୍ତୁ ଭ୍ୟାକ୍ସିନକୁ ନେଇ ଏପର୍ଯ୍ୟନ୍ତ ସୀମିତ ସୂଚନା ମିଳିଥିବାରୁ ଅନିଶ୍ଚିତତା ରହିଛି।

ମେଡୋର୍ନା ମୁତାବକ, ଦ୍ୱିତୀୟ ପର୍ଯ୍ୟାୟରେ ୬୦୦ ଲୋକଙ୍କୁ ଭ୍ୟାକ୍ସିନ ଟ୍ରାଏଲ କରାଯିବ। ଆଉ ଜୁଲାଇ ମାସରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଭ୍ୟାକ୍ସିନ ପ୍ରୟୋଗରେ ହଜାରେ ଲୋକଙ୍କୁ ସାମିଲ କରାଯିବ। ଯଦି ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୁଏ ତେବେ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ୨୦୨୧ ଆରମ୍ଭରେ ଭ୍ୟାକ୍ସିନ ଲୋକଙ୍କ ପାଖରେ ଉପଲବ୍ଧ ହେବ।