ସଞ୍ଚୟ ଖାତାରେ ସର୍ବନିମ୍ନ ଜମା ଓ ଏସଏମଏସ ଶୁଳ୍କ ଛାଡ କଲା ଏସବିଆଇ

ନୂଆଦିଲ୍ଲୀ,ଏଜେନ୍ସି: ସର୍ବବୃହତ ବ୍ୟାଙ୍କିଙ୍ଗ ଉଦ୍ୟୋଗ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କ ପାଇଁ କେତେକ ଶୁଳ୍କ ରିହାତି ବ୍ୟବସ୍ଥା ଘୋଷଣା କରାଯାଇଛି। ପୂର୍ବରୁ ବ୍ୟାଙ୍କିଙ୍ଗ ସେବା ଅନ୍ତର୍ଭୁକ୍ତ କେତେକ ସେବା ପାଇଁ ବ୍ୟାଙ୍କ ଶୁଳ୍କ ନେଉଥିବା ବେଳେ ଏବେ ସେଗୁଡିକୁ ଛାଡ଼ କରିଦିଆଯାଇଛି। ଯେପରିକି ଏସଏମଏସ ସେବା ଏବଂ ସଞ୍ଚୟ ଖାତାରେ ସର୍ବନିମ୍ନ ଜମା ନରଖିଲେ ବ୍ୟାଙ୍କ ଗ୍ରାହକମାନଙ୍କ ଠାରୁ ଅତିରିକ୍ତ ଶୁଳ୍କ ଆଦାୟ କରୁଥିଲା, ବର୍ତ୍ତମାନ ଗ୍ରାହକକୁ ଏହି ଶୁଳ୍କ ଛାଡ କରାଯାଇଛି।

ଏହି ବ୍ୟବସ୍ଥା ଦ୍ୱାରା ଏସବିଆଇର ୪୪ କୋଟିରୁ ଊର୍ଦ୍ଧ୍ୱ ଗ୍ରାହକ ଉପକୃତ ହେବେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ସେହିପରି ଏଟିଏମରୁ ଟଙ୍କା ଉଠାଣ ନିୟମରେ ମଧ୍ୟ କେତେକ ପରିବର୍ତ୍ତନ କରାଯାଇଛି। ଯଦି କୌଣସି ଗ୍ରାହକଙ୍କ ଆକାଉଣ୍ଟରେ ଟଙ୍କା ନଥାଇ ସେ ଏଟିଏମରୁ ଟଙ୍କା ଉଠାଇବାକୁ ଯାଆନ୍ତି ଏବଂ ଏଥିରେ ଅସଫଳ ହୁଅନ୍ତି ତେବେ ବ୍ୟାଙ୍କ ସଂପୃକ୍ତ ଗ୍ରାହକଙ୍କ ଠାରୁ ଜିଏସ୍‌ଟି ସମେତ ୨୦ ଟଙ୍କା ଆଦାୟ କରିବ ବୋଲି କୁହାଯାଇଛି।