ଯୋଗ୍ୟତା ନଥାଇ ନିଯୁକ୍ତି! ଆଶାୟୀ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ତ

ରାୟଗଡ଼ା, ଏନ୍ଏନ୍ଏସ୍: ମଙ୍ଗଳ ବିଭାଗ ଅଧୀନରେ ଥିବା ଶିକ୍ଷକ ଚୟନ ନିଯୁକ୍ତି ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି। ପ୍ରକାଶିତ ବିଜ୍ଞାପନ ଆଧାରରେ ନିଯୁକ୍ତି ପ୍ରକ୍ରିୟା ହୋଇନଥିବା ଅଭିଯୋଗ ହୋଇଛି। ୨୦୧୮ମସିହା ଜୁନମାସ ୨୫ତାରିଖରେ ପ୍ରକାଶିତ ବିଜ୍ଞାପନ ଅନୁଯାୟୀ ସମସ୍ତ ଯୋଗ୍ୟତା ପୂରଣ କରୁଥିବାବେଳେ ବିଭାଗ ଦ୍ୱାରା ପ୍ରକାଶିତ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକାରେ ନିଜ ନାମ ନଥିବାରୁ ପ୍ରାର୍ଥୀମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ଏହି ପରିପ୍ରେକ୍ଷୀରେ ସେମାନେ ଅଭିଯୋଗ କରିଛନ୍ତି ଯେ ବିଭାଗ ଜାଣିଶୁଣି ଯୋଗ୍ୟ ପ୍ରାର୍ଥୀଙ୍କ ଭିବଷ୍ୟତ ସହ ଖେଳ ଖେଳୁଛି। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ହେଉଛି ବ୍ୟାପକ କାରବାର ହେଉଥିବା ଅଭିଯୋଗ କରିଛନ୍ତି। ଏ ନେଇ ନିକିତା ପାଳ, ଅପରାଜିତା ମଲ୍ଲିକ, ଅତାସାଇ ମହାରଣା, ଆଶିସ କୁମାର ପୁଜାରୀ ଓ ରବିନ୍ଦ୍ର କୁମାର ଦଣ୍ଡସେନା ଉପରୋକ୍ତ ନିଯୁକ୍ତ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ଦର୍ଶାଇ ଉଚ୍ଚନ୍ୟାଳୟରେ ଆବେଦନ କରିଛନ୍ତି। ପୂର୍ବରୁ ଏ ସମ୍ପର୍କରେ ଆଶାୟୀ ପ୍ରାର୍ଥୀମାନେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ।
ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଅଧୀନସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ଗତ ୨୦୧୮ ମସିହା ଜୁନ୍ ମାସ ୨୫ତାରିଖରେ ବିଭାଗୀୟ ଚିଠି ସଂଖ୍ୟା ୨୧୧୭/୧୮ରେ ଏକ ନିଯୁକ୍ତି ସମ୍ପର୍କୀୟ ବିଜ୍ଞାପନ ପ୍ରକାଶ ପାଇଥିଲା। ଉପରୋକ୍ତ ପଦବୀ ନିମନ୍ତେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ବିଏଡ ଓ ରାଜ୍ୟ ସ୍ତରରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେଉଥିବା ଶିକ୍ଷକତା ଯୋଗ୍ୟତା ହାସଲ ପରୀକ୍ଷା (ଓଏସ୍ଏସ୍ଏଟି )ରେ ଉନ୍ନିତ ହୋଇଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯାଇ ନିଯୁକ୍ତ ପ୍ରଦାନ କରାଯିବ।

ଏ ନେଇ ଗୁରୁବାର ଯୋଗ୍ୟ ପ୍ରାର୍ଥୀଙ୍କ ସର୍ଟିଫିକେଟ ଯାଞ୍ଚ ହୋଇଥିଲା। ଏହି ଯାଞ୍ଚକୁ ଆଶାୟୀ ପ୍ରାର୍ଥୀ ଏହି ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ହୋଇଥିବା ଦର୍ଶାଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ବିରୋଧରେ ଜିଲ୍ଲାପାଳ ପ୍ରମୋଦକୁମାର ବେହେରାଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପ୍ରାର୍ଥୀଙ୍କ ଚୟନ ତାଲିକା ଶିକ୍ଷାଗତ ଯୋଗ୍ୟତା ଆଧାରରେ ପ୍ରକାଶ କରାଯାଇଛି। ଏଥିନେଇ ଯୋଗ୍ୟ ପ୍ରାର୍ଥୀଙ୍କ ସମସ୍ତ ନଥିପତ୍ର ଯାଞ୍ଚ ଚାଲିଛି।

ତେବେ ଏଥିରେ କୌଣସି ପ୍ରାର୍ଥୀ ଆବଶ୍ୟକୀୟ କାଗଜ ପତ୍ର ନଦେଖାନ୍ତି ତେବେ ଉକ୍ତ ପ୍ରାର୍ଥୀ ଚାୟନ ପ୍ରକ୍ରିୟାରୁ ବାଦ ହେବେ ବୋଲି କହିଛନ୍ତି। ଏହି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା, ଜିଲ୍ଲା ସ୍ତରୀୟ ନିଯୁକ୍ତି କମିଟି ତଦାରଖରେ ହେଉଛି। ତେଣୁ କମିଟି ଯାହା ନିଷ୍ପତ୍ତି ଗ୍ରହଣ କରିବେ ତାହା ହିଁ ଶେଷ ନିଷ୍ପତ୍ତି ବୋଲି ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ କହିଛନ୍ତି ।