୩୦ ବର୍ଷ ପରେ ଘରକୁ ଫେରିଲେ ସୁମିତ୍ରା

ମୋରଡ଼ା,ଏନ୍ଏନ୍ଏସ୍: ଦୀର୍ଘ ୩୦ ବର୍ଷ ପରେ ଘଟିଛି ମହାମିଳନ। ସ୍ୱାମୀ ପାଇଛି ପତ୍ନୀକୁ ଆଉ ପୁଅମାନେ ପାଇଛନ୍ତି ନିଖୋଜ ମାଆକୁ। ଦୀର୍ଘବର୍ଷ ପରେ ନିଜ ପରିବାରକୁ ମନେ ପକାଇପାରି ଗାଁ ଫେରିଆସିଛନ୍ତି ସୁମିତ୍ରା। ଏ ନେଇ ଗାଁରେ ଖୁସିର ଲହରୀ ଖେଳିଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଧୀନ ପାରିଆକୁଲି ଗ୍ରାମରେ। ଭୁବନେଶ୍ୱର ବେହେରାଙ୍କ ସ୍ତ୍ରୀ ସୁମିତ୍ରା ୩୦ବର୍ଷ ତଳେ ମାନସିକ ରୋଗରେ ଆକ୍ରାନ୍ତ ହୋଇ କେଉଁଆଡ଼େ ଚାଲିଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ସେ ଘର ଛାଡ଼ିବା ବେଳକୁ ତାଙ୍କର ୬ ଓ ୪ ବର୍ଷର ଦୁଇଟି ପୁଅ ଥିଲେ। ମାଆ ସ୍ନେହ ନପାଇ ପିଲାଦୁଇଟି ବହୁ ଦୁଃଖ କଷ୍ଟରେ ବଢ଼ିଲେ। କାଳକ୍ରମେ ସେମାନେ ବାହାସାହ ହୋଇ ଘରସଂସାର କଲେ।

ହଠତ୍ ଦିନେ ମୁମ୍ବାଇର ଏକ ଏନ୍ଜିଓରୁ ଖବର ଆସିଲା ଭୁବନେଶ୍ୱର ବେହେରାଙ୍କ ସ୍ତ୍ରୀ କିଏ ନିଖୋଜ ଅଛନ୍ତି କି? ଖବର ସମ୍ପର୍କରେ ବଡ଼ପୁଅ ମୁମ୍ବାଇର ସମ୍ପୃକ୍ତ ଏନ୍ଜିଓ ଶ୍ରଦ୍ଧା ସହିତ ଯୋଗାଯୋଗ କଲେ। ପରେ ଏନ୍ଜିଓର ଦୁଇଜଣ ସ୍ୱେଚ୍ଛାସେବୀ ସୁମିତ୍ରାଙ୍କୁ ଧରି ଗାଁରେ ପହଞ୍ଚିଲେ। ଏହି ଖବର ପ୍ରଚାରିତ ହେବାପରେ ଗାଁର ସମସ୍ତେ ଭୁବନେଶ୍ୱରଙ୍କ ଘରେ ଭିଡ଼ ଜମାଇଥିଲେ।

ଶ୍ରଦ୍ଧା ଏନଜିଓ ସୂତ୍ରରୁ ଜଣାଯାଇଛି ଯେ ସୁମିତ୍ରାଙ୍କୁ ସେମାନେ ପ୍ରଥମେ ଚେନ୍ନାଇର ଏକ ମେଣ୍ଟାଲ୍ ହସ୍ପିଟାଲ୍ରେ ଠାବ କରିଥିଲେ। ସେଠାରେ ସେ ଓଡ଼ିଶାର ବୋଲି ଜାଣିବାକୁ ପାଇବା ସହ ତାଙ୍କୁ ମୁମ୍ବାଇ ଆଣି ଚିକିତ୍ସା କରାଇଥିଲେ। ଧୀରେ ଧୀରେ ସୁସ୍ଥ ହେବାପରେ ସୁମିତ୍ରା ଘରକୁ ଫେରିବା ଇଚ୍ଛା ପ୍ରକାଶ କଲେ। ତାଙ୍କଠାରୁ ମିଳିଥିବା ଘର ଠିକଣା ଅନୁସାରେ ଯୋଗାଯୋଗ କରିବା ପରେ ସ୍ପଷ୍ଟ ହୋଇଥିଲା ସେ ପାରିଆକୁଲି ଗ୍ରାମର ଭୁବନେଶ୍ୱରଙ୍କ ସ୍ତ୍ରୀ ସୁମିତ୍ରା। ଆଜି ତାଙ୍କୁ ଆଣି ଗାଁରେ ପହଞ୍ଚିଛୁ। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି, ଆଉ କିଛିଦିନ ତାଙ୍କୁ ଔଷଧ ସେବନ କରିବାକୁ ପଡ଼ିବ ବୋଲି ସାଙ୍ଗରେ ଆସିଥିବା ସ୍ୱେଚ୍ଛାସେବୀ ଲକ୍ଷ୍ମୀପ୍ରିୟା ବିଶୋୟୀ କହିଛନ୍ତି। ଏନଜିଓ ପକ୍ଷରୁ ତାଙ୍କୁ ଏହି ଔଷଧ ମଧ୍ୟ ପ୍ରଦାନ କରାଯାଇଛି।

ସୁମିତ୍ରା ଗାଁରେ ପହଞ୍ଚିବା ପରେ ଗାଁ ମହିଳାମାନେ ତାଙ୍କୁ ଫୁଲଚନ୍ଦନ ଦେଇ ହୁଳହୁଳି ପକାଇ ସ୍ୱାଗତ କରି ଗାଁ ଶିବମନ୍ଦିର ନିକଟକୁ ନେଇଥିଲେ। ସୁମିତ୍ରା ଗାଁ’ଠାକୁରଙ୍କୁ ପ୍ରଣାମ କରିଥିଲେ। ପରେ ଦୁଇପୁଅ ଓ ସ୍ୱାମୀ ପହଞ୍ଚିବା ଦେଖି ସୁମିତ୍ରା ବଡ଼ପୁଅକୁ ଚିହ୍ନିପାରି ନାଁ ଧରି ଡାକିଥିଲେ। ପରେ ସାନପୁଅ କାଳିଆ କାହିଁ ବୋଲି ପଚାରିଥିଲେ। ୩୦ବର୍ଷ ପରେ ମା’କୁ ପାଇ ଦୁଇପୁଅ ଖୁସିରେ ଗଦଗଦ୍ ହୋଇପଡ଼ିଥିଲେ। ଆଜି ମା’ ମୋ ପାଖକୁ ଫେରିଆସିଥିବାରୁ ମୁଁ ବହୁତ ଖୁସି ବୋଲି ବଡ଼ପୁଅ ସଞ୍ଜୟ କହିଥିଲେ। ସୁମିତ୍ରାଙ୍କୁ ତାଙ୍କ ଘରେ ଛାଡ଼ିବା ପରେ ମୁମ୍ବାଇର ଶ୍ରଦ୍ଧା ଏନଜିଓରୁ ଆସିଥିବା ଦୁଇ ସ୍ୱେଚ୍ଛାସେବୀ ଯିବାକୁ ବାହାରିବା ବେଳେ ସୁମିତ୍ରା ସେମାନଙ୍କ ସହ ଫେରିଯିବାକୁ ଚାହୁଁଥିଲେ। ହେଲେ ସ୍ୱାମୀ ଓ ଦୁଇପୁଅ ବୁଝାସୁଝା କରିବା ପରେ ସେ ଘରକୁ ଫେରିଥିଲେ।