କେନ୍ଦ୍ର ଜାରି କଲା ଡିସେମ୍ବର ଗାଇଡଲାଇନ

ନୂଆଦିଲ୍ଲୀ: ଅନେକ ରାଜ୍ୟରେ ବଢ଼ୁଥିବା କରୋନା ମାମଲା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଏଥିରେ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର କଣ୍ଟେନମେଣ୍ଟ ଜୋନରେ ନିୟମ କଡ଼ାକଡ଼ି କରାଯାଇଛି। କଣ୍ଟେନମେଣ୍ଟ ଜୋନରେ କେବଳ ଅତ୍ୟାବଶ୍ୟକ ଗତିବିଧିକୁ ଅନୁମତି ଦିଆଯାଇଛି। କଣ୍ଟେନମେଣ୍ଟ ଜୋନରେ ନିୟମକୁ କଡ଼ାକଡ଼ି ପାଳନ କରିବାର ଦାୟିତ୍ୱ ସ୍ଥାନୀୟ ଜିଲ୍ଲା, ପୁଲିସ ଓ ନିଗମ ଅଧିକାରୀଙ୍କର ରହିବ। ଏଥିସହିତ ୫୦ଜଣ ଦର୍ଶକଙ୍କୁ ନେଇ ସିନେମା ହଲ୍ ଓ ଥିଏଟର ଚାଲିପାରିବ। କ୍ରୀଡ଼ାବିତଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରଖିବାକୁ ଅନୁମତି ଦିଆଯାଇଛି। ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ପ୍ରଦାନ କରାଯାଇଛି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ସର୍ଭିଲାନ୍ସ ଟିମ୍ ଘରକୁ ଘର ଯାଇ ସର୍ଭିଲାନ୍ସ କରିବ ଏବଂ କରୋନା ରୋଗୀଙ୍କ ଚିକିତ୍ସା ସୁବଧା ସହ ଯଥାଶୀଘ୍ର ଆଇସୋଲେସନ ବ୍ୟବସ୍ଥା କରାଯିବ। କେନ୍ଦ୍ର ସରକାର କରୋନାକୁ ରୋକିବା ପାଇଁ ସ୍ଥାନୀୟ ସ୍ତରରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ପ୍ରଦାନ କରିଛନ୍ତି।